କନକ ବ୍ୟୁରୋ: ଚାଲିଥିଲା ଅସ୍ତ୍ରୋପଚାର, ଏହି ସମୟରେ ଚାଲିଗଲା ଜୀବନ । ଆପଣ ଭାବୁଥିବେ ଏପରି ଅଘଟଣ ହେବା ଖବର କିଛି ନୂଆ କଥା ନୁହେଁ । ହେଲେ ଏହି ଅସ୍ତ୍ରୋପଚାର କିପରି, କେଉଁଠି ହେଉଥିଲା ଓ ଏହାକୁ କେଉଁମାନେ କରୁଥିଲେ ତାହା ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି ।

Advertisment

ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ନାଲୋର ଇଲାକାରେ । ପୋଲିସ ତଦନ୍ତରୁ ମିଳିଥିବା ସୂଚନା ମୁତାବକ, ଅସ୍ତ୍ରୋପଚାରରେ ପ୍ରାଣ ହରାଇଥିବା ଯୁବକ ଜଣକ ହେଉଛନ୍ତି ପ୍ରକାଶମ୍ ଜିଲ୍ଲାର ୨୮ ବର୍ଷିୟ ଯୁବକ ଶ୍ରୀକାନ୍ତ । ସେ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରୁଥିଲେ । ହେଲେ କୌଣସି ଘରୋଇ ଅଶାନ୍ତିକୁ ନେଇ ସେ କିଛି ଦିନ ହେବ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲେ । ଘଟଣାକ୍ରମରେ ସେ ଦୁଇଜଣ ବି ଫାର୍ମା ଛାତ୍ରଙ୍କ ସମ୍ପର୍କରେ ଆସିଥିଲେ । ସେ ତାଙ୍କ ଆଗରେ ନିଜ ଇଚ୍ଛାକୁ ଜାହିର କରିଥିଲେ । ତାଙ୍କ ଠାରେ ତୃତୀୟ ଲିଙ୍ଗର ଲକ୍ଷ୍ୟଣ ଦେଖାଯାଉଥିବାରୁ ସେ ପୁଅରୁ ଝିଅ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ହେଲେ ଏଥିପାଇଁ ଅସ୍ତ୍ରୋପଚାର କରିବାକୁ ବହୁତ ଅର୍ଥ ଆବଶ୍ୟକ ଥିବାରୁ ଏହା ତାଙ୍କ ପକ୍ଷେ ସମ୍ଭବ ନଥିବା କହିଥିଲେ । ହେଲେ ତାଙ୍କୁ ବୁଦ୍ଧି ଦେଇଥିଲେ ଏହି ଦୁଇ ବି ଫାର୍ମା ଛାତ୍ର । ବିନା ଖର୍ଚ୍ଚରେ ସେମାନେ ତାଙ୍କର ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିଦେବେ ବୋଲି କହିଥିଲେ । ଏଥିପାଇଁ ଦୁଇ ଯୁବକଙ୍କ ସହ ନାଲୋରର ଏକ ଲଜରେ ପହଞ୍ଚିଥିଲେ । ସେଠାରେ ଆରମ୍ଭ ହୋଇଥିଲା ଶ୍ରୀକାନ୍ତଙ୍କ ଲିଙ୍ଗ ପରିବର୍ତ୍ତନ ଅପରେସନ୍ , ଯାହାକୁ ଇଂରାଜୀରେ ‘ସେକ୍ସ ରିଆଇନମେଣ୍ଟ' ବୋଲି କୁହାଯାଏ ।

ହେଲେ ଅପରେସନ୍ ଯେଉଁଭଳି ଭାବେ ହୋଇଥିଲା ତାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ନିଜ ବୁଦ୍ଧିରେ ନୁହେଁ ବରଂ ୟୁ-ଟ୍ୟୁବ୍ ସାହାଯ୍ୟରେ । ୟୁ – ଟ୍ୟୁବ ଦେଖି ଦୁଇ ବି- ଫାର୍ମା ଛାତ୍ର ସର୍ଜରି କରିଥିଲେ । ହେଲେ ଏହି ସମୟରେ ଯୁବକଙ୍କର କୌଣସି ଏକ ଶିରା କଟିଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା, ଯାହାକୁ ରୋକିବା ସେମାନଙ୍କ ପକ୍ଷେ ସମ୍ଭବ ନଥିଲା । ଫଳରେ ଶ୍ରୀକାନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଘଟଣା ଲଜ୍ କର୍ମଚାରୀ କୌଣସି ପ୍ରକାରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଏମାନଙ୍କୁ ଜେରା ସମୟରେ ପଦାକୁ ଆସିଛି ଘଟଣାର ସତ୍ୟାସତ୍ୟ ।