କରୋନାରେ ଚାଲିଗଲେ ବାପା, ଅନାଥ ହୋଇଗଲା ଝିଅ । ସ୍ତ୍ରୀ ଆଖିରୁ ଶୁଖୁନି ଲୁହ । ଅସହାୟ ହୋଇଗଲା ପରିବାର ।

132

କନକ ବ୍ୟୁରୋ: ଆଖିରୁ ଲୁହ ସୁଖୁନି କି ମନରୁ କୋହ ଯାଉନି । ମୋବାଇଲରେ ସ୍ୱାମୀଙ୍କର ପୁରୁଣା ଫଟୋକୁ ଦେଖି ଦେଖି ପ୍ରତିଦିନ ଆଖିରୁ ଲୁହ ଗଡାଉଛନ୍ତି । ସେପଟେ ବାପାକୁ ଝୁରି ଝୁରି ଅବୁଝା ହେଉଥିବା କୁନିକୁ ମଧ୍ୟ କୋଳରେ ଧରି ବୁଝାଉଛନ୍ତି କରିସ୍ମା । ଆଉ ଭେଣ୍ଡିଆ ପୁଅକୁ ହରାଇ ଅଥୟ ହେଉଛନ୍ତି ବାପା ମାଆ । ବିଶ୍ୱାସ କରିପାରୁ ନାହାନ୍ତି ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହିଁ । ପୁଅର ଫଟୋ ଧରି ମାଆ ଆଖିରୁ ଲୁହ ଗଡାଉଛି । ବାପା ମନେମନେ କାନ୍ଦି ପକାଉଛି ।

ବାଲେଶ୍ୱର ବର୍ଦ୍ଦନପୁରର ଦାମୋଦାର ଦାସ ଓ ଉର୍ମିଳା ଦାସଙ୍କ ଏକମାତ୍ର ପୁଅ ଗୌତମ । ଗ୍ରାଜୁଏସନ ପରେ ଆଗକୁ ପଢିବାକୁ ଆଉ ସୁଯୋଗ ପାଇନଥିଲେ ଗୌତମ । ବାପା ଭିନ୍ନକ୍ଷମ ହୋଇଥିବାରୁ ରୋଜଗାର କରିବାକୁ ଅକ୍ଷମ ଥିଲେ । ତେଣୁ ଗୌତମ କଳାହାଣ୍ଡିର ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରିଥିଲେ । ଆଉ ସେହିଥିରୁ ଯାହା ରୋଜଗାର ହୁଏ ସେଥିରେ ସେ ନିଜ ପରିବାର ଚଳାନ୍ତି । କହିବାକୁ ଗଲେ ଗୌତମ ସେହି ପରିବାରର ଏକମାତ୍ର ରୋଜଗାରିଆ ଥିଲେ ।

୩ ବର୍ଷ ତଳେ ଗୌତମଙ୍କ ବିବାହ କରିସ୍ମାଙ୍କ ସହ ହୋଇଥିଲା । ଆଉ ଏବେ ତାଙ୍କର ଗୋଟିଏ ୮ ମାସର ଝିଅ ମଧ୍ୟ ଅଛି । ଝିଅ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ ଗୌତମ । କୁନି ଝିଅକୁ ବଡ କରିବେ ତାର ସୁନାର ଭବିଷ୍ୟତ ଗଢିବେ ବୋଲି ସେ ମନେ ମନେ ସ୍ଥିର କରିଥିଲେ । ହେଲେ ଏହି ସ୍ୱପ୍ନ ତାଙ୍କର ଅଧାରେ ରହିଗଲା । କାରଣ ତାଙ୍କ ଜୀବନ ଉପରକୁ ମାଡି ଆସିଥିଲା କରୋନାର କଳା ବାଦଲ । ହଠାତ ଦିନେ ଗୌତମ ଅସୁସ୍ଥ ହୋଇ ପଡିଲେ । ଆଉ ପରୀକ୍ଷା ପରେ ଜଣା ପଡିଲା ସେ କରୋନା ପଜିଟିଭ ବୋଲି । ଏହାପରେ ସେ ହସ୍ପିଟାଲରେ ଆଡମିସନ ହୋଇଥିଲେ । ହେଲେ ଆଉ ସେଠାରୁ ଫେରିନଥିଲେ ।

ପୁଅର ମୃତ୍ୟୁ ପରେ ଏବେ ବେସାହାର ହୋଇ ପଡିଛି ପୂରା ପରିବାର । ଯେଉଁ ବୟସରେ ପୁଅ ବାପା ମାଆଙ୍କର ସାହାରା ହେବା କଥା ସେହି ବୟସରେ ବାପାମାଆଙ୍କୁ ଛାଡି ଅଫେରା ରାଇଜକୁ ଚାଲିଯାଇଛି ପୁଅ । ଆଉ ସେପଟେ ବାପା ଶବ୍ଦର ଅର୍ଥ କଣ ବୁଝିବା ଆଗରୁ କୁନି ଝିଅକୁ ଛାଡି ବାପା ଚାଲିଗଲେ ଆରପାରିକୁ । ଆଉ ବାପା ଛେଉଣ୍ଡ ହୋଇଗଲା କୁନି ଝିଅ । କଁଅଳ ବୟସରେ ଝିଅର ମୁଣ୍ଡ ଉପରର ଦଇବ ଛଡାଇ ନେଲା ବାପାର ହାତ ।

ଏବେ କେମିତି ଚଳିବ ଏହି ପରିବାର, କିଏ ହେବ ଏମାନଙ୍କର ସାହାର । ଆଉ କିଏ ଗଢିବ ଏହି କୁନି ଝିଅର ଭବିଷ୍ୟତ । ଏହି କୁନି ଝିଅଟି ଆଗରେ ଏବେ ପଡିଛି ଲମ୍ବା ଭବିଷ୍ୟତ । ଯଦି ସରକାର ଏହି ପରିବାରକୁ ସହାୟତା କରନ୍ତେ ତେବେ ଏହି କୁନି ଝିଅ ନିଜ ସୁନାର ଭବିଷ୍ୟତ ଗଢିପାରନ୍ତା ।