ଫ୍ରିଜରେ କରୋନା ଆକ୍ରାନ୍ତଙ୍କ ଶବ : କରୋନାରେ ୭୧ ବର୍ଷ ବୃଦ୍ଧଙ୍କ ଗଲା ଜୀବନ , ୪୮ ଘଣ୍ଟା ପର୍ଯ୍ୟନ୍ତ ମୃତକଙ୍କ ଶବକୁ ଫ୍ରିଜରରେ ରଖିଲେ ପରିବାର ଲୋକ ।

805

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ତା ସଙ୍ଗେ ସଙ୍ଗେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା । ଏଭଳି ସମୟରେ ପଶ୍ଚିମବଙ୍ଗରୁ ଏକ ସ୍ତବ୍ଧ କଲା ଭଳି ମାମଲା ସାମ୍ନାକୁ ଆସିଛି । କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ପରିବାର ଲୋକ ଶବକୁ ୪୮ ଘଣ୍ଟା ଧରି ଫ୍ରିଜରେ ରଖିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗର କୋଲକାତାରେ କରୋନାରେ ଆକ୍ରାନ୍ତ ଜଣେ ୭୧ ବର୍ଷ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ କହିବାନୁସାରେ , ବୃଦ୍ଧଙ୍କ ଅନ୍ତିମସଂସ୍କାର ପାଇଁ ଅଧିକାରୀଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିଲାନାହିଁ ତେଣୁ ସେମାନେ ଅନ୍ୟ କୌଣସି ବାଟ ନପାଇ ଶବକୁ ଫ୍ରିଜରେ ରଖିଥିଲେ ।

ସ୍ୱାସ୍ଥ୍ୟବିଭାଗ ସୂତ୍ର ଅନୁସାରେ , ୭୧ ବର୍ଷୀୟ ଏହି ବୃଦ୍ଧଙ୍କୁ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ସୋମବାର ସେ ହସ୍ପିଟାଲରେ କରୋନା ଟେଷ୍ଟ୍ କରାଇଥିଲେ । ତେବେ ଘରକୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଲା ଏବଂ ତାଙ୍କ ମୃତ୍ୟୁ ହୋଇଗଲା । ଘଟଣା ପରେ ଡାକ୍ତର ପିପିଇ କିଟ୍ ନେଇ ମୃତକଙ୍କ ଘରେ ପହଂଚିଥିଲେ । ବିନା ମୃତ୍ୟୁ ପ୍ରମାଣପତ୍ର ଜାରି କରି ସେ ମୃତକଙ୍କୁ କରୋନା ସଂକ୍ରମିତ କହିଥିଲେ । ଏହାପରେ ପରିବାର ଥାନାରେ ଏ ସଂପର୍କରେ ଜଣାଇଥିଲେ । ହେଲେ ପୁଲିସ୍ ପକ୍ଷରୁ ସ୍ଥାନୀୟ କାଉନସିଲରଙ୍କୁ ସୂଚିତ କରିବା ପାଇଁ କୁହାଯାଇଥିଲା । ସ୍ଥାନୀୟ କାଉନସିଲର୍ , ସ୍ୱାସ୍ଥ୍ୟବିଭାଗର ହେଲପଲାଇନ୍ ନମ୍ବର ଏବଂ ଅନେକ ଶବବ୍ୟବଚ୍ଛେଦ ଗୃହକୁ କଲ୍ କରିବା ପରେ ମଧ୍ୟ ଚାରିଆଡ଼ୁ ନିରାଶା ମିଳିବା ପରେ ପରିବାର ଫ୍ରିଜରେ ଶବ ରଖିବାକୁ ବାଧ୍ୟ ହେଲେ । ମଙ୍ଗଳବାର ମୃତକଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବାପରେ କୋଲକାତା ନଗର ନିଗମର ଲୋକ ଆସି ଶବକୁ ଅନ୍ତିମ ସଂସ୍କାର ପାଇଁ ନେଇଯାଇଥିଲେ ।