କ୍ରିକେଟ ଖେଳ ହେଲା କାଳ: ରନ ନେବାବେଳେ ପିଚରେ ପଡିଯାଇ ଚାଲିଗଲା ଜୀବନ

961

କନକ ବ୍ୟୁରୋ: କ୍ରିକେଟ ଖେଳିବା ସମୟରେ ଅଘଟଣ । ରନ ନେଲା ବେଳେ ପିଚ୍ରେ ପଡ଼ିଯାଇ ଚାଲିଗଲା ଜୀବନ । ଗଂଜାମ ବେଗୁନିଆପଡ଼ା ପଂଚାୟତର ଚିଂଗୁଡ଼ିଖୋଲ ଗାଁରେ ଏଭଳି ଘଟଣା ଘଟିଛି । ନାରାୟଣ ସାଙ୍ଗମାନଙ୍କ ସହ ବୁରୁଝୁରି ଗାଁକୁ କ୍ରିକେଟ ଖେଳିବାକୁ ଯାଇଥିଲେ । ହେଲେ ରନ୍ ନେଉଥିବା ବେଳେ ହଠାତ ତାଙ୍କର ଗୋଡ଼ ଖସି ଯିବାରୁ ତଳେ ପଡ଼ିଯାଇଥିଲେ । ଫଳରେ ବ୍ୟାଟଟି ତାଙ୍କ ଛାତିରେ ବାଜିଥିଲା । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନାରାୟଣଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ସ୍ତ୍ରୀ ୯ ମାସର ଗର୍ଭବତୀ ଥିବା ବେଳେ ପରିବାର ଉପରେ ଯେପରି ଦୁଃଖର ପାହାଡ ଭାଙ୍ଗିପଡ଼ିଛି । ଘରକୁ ଖୁସି ଖବର ଆସିବା ପୂର୍ବରୁ ପରିବାରକୁ ଛାଡ଼ି ଚାଲିଯାଇଛନ୍ତି ସେ । ନାରାୟଣଙ୍କ ବାପା, ମାଆ ଓ ସ୍ତ୍ରୀଙ୍କ ଆଖିରୁ ଏବେ ଲୁହ ଶୁଖୁ ନଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।ସେପଟେ ସାଙ୍ଗକୁ ହରାଇ ଆଉ ଜୀବନରେ କେବେ କ୍ରିକେଟ ଖେଳିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ନାରାୟଣଙ୍କ ସମସ୍ତ ବନ୍ଧୁ । ଖେଳର ସମସ୍ତ ସାମଗ୍ରୀକୁ ଜାଳି ଦେଇଛନ୍ତି ।