ପୁଅର ଜୀବନ ବଞ୍ଚାଇବାକୁ ଗରିବ ଦିନ ମଜୁରିଆ ବାପାର ସଂଘର୍ଷ । ଔଷଧ ପାଇଁ ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଳାଇଲେ ଅସହାୟ ବାପା । ଦେଖନ୍ତୁ ଜଣେ ଗରିବ ବାପାର କଷ୍ଟର କାହାଣୀ ।

314

କନକ ବ୍ୟୁରୋ : ଏ କାହାଣୀ ଜଣେ ଗରିବ ଦିନ ମଜୁରିଆ ବାପାର । ଏ କାହାଣୀ ସରକାରୀ ଅବ୍ୟବସ୍ଥାର । ପୁଅର ଜୀବନ ବଂଚାଇବା ପାଇଁ କେମିତି ଜଣେ ଗରିବ ଶ୍ରମିକ ବାପାଟିଏ ସଂଘର୍ଷ କରିଛି, ସେ କାହାଣୀ ଜାଣିଲେ, ଆପଣଙ୍କ ଆଖି ବି ଓଦା ହୋଇଯିବ, ଛାତି ଭାରି ଭାରି ଲାଗିବ । ଏହି ଭଙ୍ଗା ସାଇକେଲକୁ ଭରସି ଖାଲି ପାଦରେ ୩୦୦ କିଲୋମିଟର ସାଇକେଲ୍ ଚଲାଇ ପୁଅ ପାଇଁ ଔଷଧ ଆଣିଛନ୍ତି ବାପା । କେମିତି ବା ଆଣିନଥାନ୍ତେ, ଔଷଧ ଖାଇଲେ ପରା ତାଙ୍କ ପୁଅ ବଂଚିବ ।

ଇଏ ହେଉଛନ୍ତି ୪୫ ବର୍ଷୀୟ ଆନନ୍ଦ । କର୍ଣ୍ଣାଟକ ମୈସୁର ଜିଲ୍ଲାର କୋପ୍ପଲୁ ଗାଁରେ ରୁହନ୍ତି । ଆନନ୍ଦ ହେଉଛନ୍ତି ଜଣେ ଗରିବ ଦିନ ମଜୁରିଆ । ଆନନ୍ଦଙ୍କ ପୁଅ ଛୋଟ ବେଳୁ ରୋଗାକ୍ରାନ୍ତ ଥିବା ବେଳେ ତାର ଚିକିତ୍ସା ମଧ୍ୟ ଜାରି ରହିଛି । ଡାକ୍ତର କହିଛନ୍ତି, କ୍ରମାଗତ ୧୮ ବର୍ଷ ଧରି ପ୍ରତିଦିନ ତାଙ୍କ ପୁଅକୁ ଔଷଧ ଖାଇବାକୁ ପଡିବ । ତେବେ ଯାଇ ହୁଏତ ତାଙ୍କ ପୁଅ ସୁସ୍ଥ ହୋଇପାରିବ । ପୁଅର ଜୀବନ ବଂଚାଇବା ପାଇଁ ଦିନରାତି ଖଟି ଔଷଧ ପାଇଁ ଟଙ୍କା ଯୋଗାଡ କରୁଥିଲେ ଆନନ୍ଦ ।

ସବୁକିଛି ଠିକଠାକ୍ ଚାଲିଥିଲା । ହେଲେ ସଂକ୍ରମଣ ବଢିବାରୁ ଲକଡାଉନ୍ କଟକଣା ଜାରି କଲେ ସରକାର । ଗାଁ ଆଖପାଖ ଅଂଚଳରେ ଥିବା ମେଡିସିନ୍ ଦୋକାନରେ ଯେତେବେଳେ ପୁଅର ଔଷଧ ନମିଳିଲା ଚିନ୍ତାରେ ପଡିଥିଲେ ଆନନ୍ଦ । କଣ କରିବେ, ଯେମିତି ହେଲେ ପୁଅକୁ ଔଷଧ ଦେବାକୁ ତ ପଡିବ । କିଛି ଉପାୟ ନପାଇ, ଭଙ୍ଗା ସାଇକେଲକୁ ଭରସି ମୈସୁରର ଏକ ଛୋଟିଆ ଗାଁରୁ ୩୦୦ କିଲୋମିଟର ଦୂର ବାଙ୍ଗାଲୋର ଅଭିମୁଖେ ବାହାରିଥିଲେ ଆନନ୍ଦ ।

ଡହ ଡହ ଖରାରେ ଯେଉଁଠି ପାଦେ ଚାଲିବା କଷ୍ଟକର, ସେହି ତାତିକୁ ଖାତିର ନକରି, ଖାଲି ପାଦରେ ୩ଦିନ ଧରି ସାଇକେଲ ଯାତ୍ରା କରିଥିଲେ ଆନନ୍ଦ । ପେଟରେ ପେଟେ ଭୋକ ଆଉ ଆଖିରେ ଆଖିଏ ଲୁହକୁ ଚାପି ରଖି ସବୁ କଷ୍ଟକୁ ସହି ୩୦୦ କିଲୋମିଟର ଦୂରରୁ ପୁଅ ପାଇଁ ନେଇଆସିଥିଲେ ସଞ୍ଜିବନୀ ।

ଆନନ୍ଦଙ୍କ ଏହି କାହାଣୀ ଯିଏବି ଶୁଣୁଛି, ସିଏ ତାଙ୍କର ପ୍ରଂଶସା କରୁଛି । ଆଉ ସୋସିଆଲ ମିଡିଆରେ ପୁଅ ପାଇଁ ଗରିବ ବାପାର ସଂଘର୍ଷର କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏଭଳି ସ୍ଥଳେ କିଛି ନେତା ରାଜନୈତିକ ଫାଇଦା ନେବାକୁ ପଛାଇନାହାନ୍ତି । ଏପରିକି କିଛି ନେତା ଔଷଧ ଏବଂ ରାସନ ସାମଗ୍ରୀ ଆନନ୍ଦଙ୍କୁ ଦେବା ସହ ଏହାର ଫଟୋ ଉଠାଇ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଯାହାପରେ ଲୋକେ ଏହି ନେତାଙ୍କୁ ଉପହାସ କରିଛନ୍ତି । କହିଛନ୍ତି, ଲୋକେ ବିପଦରେ ଥିବା ବେଳେ ଘରେ ଆରାମରେ ରହିଥାନ୍ତି ନେତା, ଆଉ ଆନନ୍ଦଙ୍କ ଭଳି ସଂଘର୍ଷର କାହାଣୀ ଶୁଣିବା ପରେ ବାହାଃ ବାହାଃ ନେବା ପାଇଁ ଏମିତି ରାସନ ଦେଇ ଫଟୋ ଉଠାନ୍ତି ।

ମହାମାରୀ କରୋନାର ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଲକଡାଉନର ଆବଶ୍ୟକତା ରହିଛି । କିନ୍ତୁ ଲକଡାଉନର କଷ୍ଟ କେବେ ଧନୀ ଲୋକଙ୍କୁ ଛୁଇଁପାରେନି, ଗରିବଙ୍କ ଘରେ ହିଁ ଲୁହର କାହାଣୀ ଲେଖେ ଲକଡାଉନ୍ । ଖାଲି ଲକଡାଉନ୍ ଲାଗୁ କରିବା ସରକାରଙ୍କ କାମ ନୁହେଁ, ଏହି ସମୟ ମଧ୍ୟରେ କେମିତି ପ୍ରତିଟି ବ୍ୟକ୍ତି ବିଶେଷ କରି, ଦିନ ମଜୁରିଆ, ଖଟିଖିଆ, ଶ୍ରମିକ ଶ୍ରେଣୀର ବ୍ୟକ୍ତି ଅତ୍ୟନ୍ତ ଦିଓଳି ଖାଇବାକୁ ପାଇବେ ତାର ବ୍ୟବସ୍ଥା କରିବା ନିହାତି ଦରକାର ।