ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ ପରେ ନିଜ ତଣ୍ଟି କାଟିଲା ଯୁବକ: କାରଣ ଅସ୍ପଷ୍ଟ, ନୟାଗଡ ଶରଣକୁଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ; ଗୁରୁତର ଅବସ୍ଥାରେ ଦୁହେଁ ମେଡିକାଲରେ ଭର୍ତ୍ତି

ଶିକ୍ଷୟିତ୍ରୀଙ୍କ ଘର ପୁରୀ ଜିଲ୍ଲାରେ । ପଟ୍ଟାମୁଣ୍ଡାଇରୁ ନୟାଗଡ ଯାଇ ମରଣାନ୍ତକ ଆକ୍ରମଣ କଲା ଯୁବକ

153

କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ କରି ନିଜ ବେକ କାଟିଦେଲେ ଯୁବକ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ଗାଁରେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନନାନ୍ତର କରାଯାଇଛି ।

ସୂଚନା ଅନୁୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଆଲୁପାଟଣା ଗାଁର ଲିଲିମା ବେହେରା ୮ ବର୍ଷ ହେଲା ଗୋଡିପଡା ସର୍ଦ୍ଦାର ପଟେଲ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଗତକାଲି ଅପରାହ୍ନରେ କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗୋଡିପଡାରେ ପହଞ୍ଚି ଲିଲିମାକୁ ଖୋଜାଖୋଜି କରି ସ୍କୁଲକୁ ଯାଇଥିଲେ । ସ୍କୁଲ ଛୁଟି ହେବା ପରେ ଲିଲିମା ସୁକାନ୍ତ ସହ ଭଡାରେ ରହୁଥିବା ଘରକୁ ଆସୁଥିବା ସମୟରେ କୌଣସି କଥାକୁ ନେଇ ତାଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ରାଗିଯାଇ ଯୁବକ ଜଣକ ପକେଟରୁ ଛୁରି ବାହାର କରି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିଥିଲେ ।

ଶିକ୍ଷୟିତ୍ରୀ ଲିଲିମାଙ୍କ ଚିକ୍ରାର ଶୁଣି ଘର ମାଲିକ ଓ ଆଖପାଖର ଲୋକ ଆସି ସୁକାନ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ । ସେଠାରୁ କୌଣସି ପ୍ରକାରେ ସୁକାନ୍ତ ଖସିଆସି ବଜାରରେ ଅନ୍ୟ ଏକ ସ୍ଥାନରେ ନିଜ ବେକକୁ କାଟି ଦେଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।