ସୁଝି ପାରିଲେନି ବ୍ୟାଙ୍କ ଲୋନ୍: ୧୭ ବର୍ଷ ଧରି ଜଙ୍ଗଲରେ କଟୁଛି ଜୀବନ

423

କନକ ବ୍ୟୁରୋ: ଘନ ଜଙ୍ଗଲ ଭିତରେ ଦଦରା ଆମ୍ବାସାଡର କାର । ତା ଉପରେ ବିଛା ହୋଇଛି ପଲିଥିନ ଦରି । ଏହାକୁ ଦେଖି କେହିବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କିନ୍ତୁ ଏହା ଭିତରେ କଟୁଛି କାହାରି ଜୀବନ, ଯାହା ପାଇଁ ଏହି ଭଙ୍ଗା କାର ସବୁକିଛି । ଏହା ଭିତରେ ରହୁଛନ୍ତି ଚନ୍ଦ୍ରଶେଖର ନାମକ ବ୍ୟକ୍ତି । ଯିଏ ଏହି ଭଙ୍ଗା ଆମ୍ବାସାଡାର କାର ଭିତରେ ଘନ ଜଙ୍ଗଲ ଭିତରେ ରହୁଛନ୍ତି, ତାହା ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୧୭ ବର୍ଷ ଧରି ଏହି ଜଙ୍ଗଲ ଭିତରେ କଟୁଛି ଜୀବନ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏପରି କି ପରିସ୍ଥିତି ସୃଷ୍ଟି ହେଲା ଯେ ଘରଦ୍ୱାର ଛାଡି ଏହି ବ୍ୟକ୍ତି ଜଣକ ଆସି ଭୟଙ୍କର ଜଙ୍ଗଲ ଭିତରୁ ର୍ଦୀର୍ଘ ବର୍ଷ ହେବ ରହୁଛନ୍ତି । ଏହା ପଛରେ ରହିଛି ଏକ ରୋଚକ କାହାଣୀ ।

ଏହି ବ୍ୟକ୍ତିଙ୍କ ନାଁ ଚନ୍ଦ୍ରଶେଖର, ଯିଏ କି କର୍ଣ୍ଣାଟକର ଦକ୍ଷିଣ କନ୍ନଡର ଜଙ୍ଗଲରେ ରହୁଛନ୍ତି । ୪ କିଲୋମିଟର ଯାଏଁ ବ୍ୟାପିଛି ଏହି ଘଂଚ ଜଙ୍ଗଲ ।ଏଠି ଜଙ୍ଗଲି ପଶୁଙ୍କ ସହ ରହୁଛନ୍ତି । ଅନେକ ସମୟରେ ହିଂସ୍ର ଜନ୍ତୁଙ୍କୁ ସାମନା କରୁଥିବାବେଳେ ବେଳେବେଳେ ଏହି କାର ଭିତରକୁ ମଧ୍ୟ ବିଶାଳ ବିଷଧର ସାପ ପଶିଆସନ୍ତି । ହେଲେ କେବି ମାରିନାହାଁନ୍ତି ଏହି ବିଷଧର ଜନ୍ତୁଙ୍କୁ ବରଂ ଧରି ଜଙ୍ଗଲ ଭିତରେ ଛାଡି ଦିଅନ୍ତି । ଚନ୍ଦ୍ରଶେଖର କୁହନ୍ତି, ଏହି ବିଷଧର ସାପଙ୍କ ଅପେକ୍ଷା ଅଧିକ ବିଷାକ୍ତ ମଣିଷ । ପ୍ରଥମେ ପ୍ରଥମେ ଏପରି ଘଟଣା ଘଟୁଥିଲେ ବି ଏବେ ଚନ୍ଦ୍ରଶେଖର ଏହି ଘଂଚ ଜଙ୍ଗଲର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛନ୍ତି । ଏବେ ତାଙ୍କୁ ଜଙ୍ଗଲରେ ରହିବା ନେଇ ବନ ବିଭାଗ ଅଧିକାରୀ ମଧ୍ୟ କିଛି ତାଗିଦା କରୁନାହାଁନ୍ତି । ଜଙ୍ଗଲର କିଛି ବି କ୍ଷତି କରନ୍ତିନି ସେ । ଏପରିକି ଜଙ୍ଗଲରେ ଥିବା ଗଛରୁ ଡାଳ ଟିଏ ବି ଭଙ୍ଗନ୍ତି ନାହିଁ । ଯାହା ଶୁଖିଲା ଡାଳ ପଡିଥାଏ ତାକୁ ନେଇ ଜାଳ ସଂଗ୍ରହ କରନ୍ତି । ପାଖ ନଦୀରେ ଗାଧାନ୍ତି । ଯାହା ଜଙ୍ଗଲଜାତ ଦ୍ରବ୍ୟ ମିଳେ ସେଥିରେ ଭୋକ ମେଣ୍ଟାନ୍ତି । ଆଉ ରେଡିଓରେ ହିନ୍ଦି ଗୀତ ଶୁଣନ୍ତି । ଚନ୍ଦ୍ରଶେଖର ଜଣେ ଶିକ୍ଷିତ ।୨୦୦୩ ପର୍ଯ୍ୟନ୍ତ ସେ ଅନ୍ୟ ମାନଙ୍କ ପରି ସାଧାରଣ ଜୀବନ ଯାପନ କରୁଥିଲେ । ତାଙ୍କ ପାଖରେ ଏକ ବଡ ଫାର୍ମ ମଧ୍ୟ ଥିଲା । ହେଲେ ଏକ କୋପରେଟିଭ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଋଣ କରିବା ତାଙ୍କ ଜୀବନର ଦିଗ ବଦଳାଇଦେଲା ।

ତାଙ୍କ କହିବା ମୂୁତାବକ. କିଛି ଲୋକ ତାଙ୍କ ବିରୋଧରେ ଷଡଯନ୍ତ୍ର କଲେ । ସାଙ୍ଗ ଭଳି ବ୍ୟବହାର କରି ତାଙ୍କର ସର୍ବସ୍ୱାନ୍ତ କରିଥିଲେ ।କୌଣସି କାରଣରୁ କୋପରେଟିଭ ବ୍ୟାଙ୍କରୁ ଆଣିଥିବା ଋଣ ସୁଝି ପାରିନଥିଲେ । ଫଳରେ ଯେଉଁ ଫାର୍ମ ତାଙ୍କର ରୋଜଗାରର ମାଧ୍ୟମ ଥିଲା ତା’ର ନିଲାମୀ ହୋଇଗଲା । ସେବେଠାରୁ ପାଖ ଲୋକ ବୋଲାଉଥିବା କିଛି ଲୋକଙ୍କ ଯୋଗୁଁ ସର୍ବହରା ହେବା ପରେ ନିଜ ଆମ୍ବାସାଡର କାରକୁ ନେଇ ଏହି ଜଙ୍ଗଲକୁ ପଳାଇଆସିଥିଲେ । ଏଠି ଆରାମ ନଥିଲେ ବି ଏକ ସନ୍ତୁଳିତ ଓ ସୁସ୍ଥ ଜୀବନ ବଞ୍ଚୁଥିବା କହିଛନ୍ତି ଚନ୍ଦ୍ରଶେଖର । ଏବେବି ମନରେ ଆଶା ବାନ୍ଧିଛନ୍ତି ଯେ, ଦିନେ ନା ଦିନେ ତାଙ୍କର ସେହି ଫାର୍ମକୁ ସେ ଫେରି ପାଇବେ । ଫାର୍ମର ସମସ୍ତ ଦସ୍ତାବିଜକୁ ଏବେବି ନିଜ କାର ଭିତରେ ସାଇତି ରଖିଛନ୍ତି ଚନ୍ଦ୍ରଶେଖର । ତାଙ୍କ ବିଷୟରେ ଜାଣିବା ପରେ ଜିଲ୍ଲା ପ୍ରଶାସନ ତାଙ୍କ ପାଇଁ ଏକ ଘର ନିର୍ମାଣ କରି ଦେଇଥିଲେ ବି ଏଠାରେ ରହିବାକୁ ରାଜି ହୋଇନଥିଲେ । କରୋନା କାଳରେ ଯିବା ଆସିବାରେ ପ୍ରତିବନ୍ଧକ ଲାଗିବା ବେଳେ ଜଙ୍ଗଲ ଭିତରେ ଫଳମୂଳ ଖାଇ ସୁସ୍ଥ ଭାବେ ଦିନ କାଟୁଛନ୍ତି ଚନ୍ଦ୍ରଶେଖର ।

ଜଙ୍ଗଲ ଭିତରେ ବି ହାତ ବାନ୍ଧି ବସିନାହାଁନ୍ତି ଚନ୍ଦ୍ରଖେଖର । ଜଙ୍ଗଲରୁ ମିଳୁଥିବା ଶୁଖିଲା ଲତାକୁ ନେଇ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ସାମଗ୍ରୀ, ଯାହାକୁ ନେଇ ସେ ପାଖ ଗାଁ ଗଣ୍ଡାକୁ ଯାଇ ବିକ୍ରି କରନ୍ତି । ଯାହା ଦି ପଇସା ମିଳେ ସେଥିରେ କିଛି ଚାଉଳ ଓ ପରନିପରିବା କିଣି ଆଣନ୍ତି । ତା ସାଙ୍ଗକୁ ବଣରୁ ମିଳୁଥିବା ଫଳମୂଳ । ଏଥିରେ ତାଙ୍କର ପରମ ତୃପ୍ତି ।