ମନରେ ଲାଗିଗଲା ଟଙ୍କାର ଲୋଭ, ୨୩ କୋଟି ପାଇବାକୁ ଟ୍ରେନ ଆଗକୁ ଡେଇଁଲେ ଯୁବକ

206

କନକ ବ୍ୟୁରୋ : ଟଙ୍କା ପାଇଁ ଆଜିର ଦୁନିଆରେ ମଣିଷ ସବୁକିଛି କରିବାକୁ ପ୍ରସ୍ତୁତ । ନିଜର ଆବଶ୍ୟକତା, ସୌଖିନ ଜୀବନ ଯାପନ ସହ ନିଜ ପରିବାରକୁ ଖୁସିରେ ରଖିବାକୁ ଟଙ୍କାର ଆବଶ୍ୟକତାକୁ କେହି ବି ଫାଙ୍କି ପାରିବେ ନାହିଁ । ହେଲେ ନିଜେ ବଞ୍ଚିଥିଲେ ତ ସେହି ଟଙ୍କାକୁ ଉପଭୋଗ କରିବ ବା ନିଜ ପରିବାର ଉପଭୋଗ କରୁଥିବାର ଦେଖିବ । ଯଦି ସେହି ଟଙ୍କା ପାଇଁ ଜଣେ ଜାଣିଶୁଣି ନିଜ ଜୀବନକୁ ବିପଦରେ ପକାଏ ।

ବୀମା ଓ କ୍ଷତିପୂରଣ ପାଇବାକୁ ଜଣେ ବ୍ୟକ୍ତି ଏଭଳି ଯୋଜନା କଲା ଯେ ଶେଷରେ ନିଜର ପାଦ ଦୁଇଟିକୁ ହରାଇ ସବୁଦିନ ପାଇଁ ଚାଲିବାର କ୍ଷମତା ହରାଇବସିଲା । ଏହି ଯୋଜନା ବାବଦରେ ଜାଣିଲେ ଆପଣ ବି ଚକିତ ହୋଇଯିବେ । ଯୁବକ ଜଣଙ୍କ ଯୋଜନା ବଦ୍ଧ ଭାବେ ନିଜ ନାମରେ ୧୪ ଟି ବୀମା ପଲିସି କରିଥିଲା । ହେଲେ କିଛିବର୍ଷ ପରେ ସେ ଅନେକ ଚେଷ୍ଟା କରି ବୀମା କମ୍ପାନୀମାନଙ୍କ ଠାରୁ ୨୩ କୋଟି ଟଙ୍କା ଆଦାୟ କରିପାରି ନଥିଲା ।

‘ଡେଲି ଷ୍ଟାର’ ର ରିପୋର୍ଟ ମୁତାବକ ଏହି ଘଟଣା ହଙ୍ଗେରୀର । ଏଠିକାର ଜିଲ୍ଲା କୋର୍ଟ ଏକ ମାମଲାର ଶୁଣାଣି କରି କହିଥିଲେ କି ସାଣ୍ଡୋର ସିଏସ ନାମକ ଜଣେ ବ୍ୟକ୍ତି ବୀମା କମ୍ପାନୀରୁ କ୍ଷତିପୂରଣ ପାଇବାକୁ ଜାଣିଶୁଣି ଟ୍ରେନ ଆଗରେ ଦୁଇଟି ଗୋଡ ରଖିଦେଇଥିଲେ ।

୨୦୧୪ ମସିହାରେ ଏଭଳି ଚମକପ୍ରଦ ଘଟଣାରେ ୫୪ ବର୍ଷିୟ ସୋଣ୍ଡୋର ନିଜର ଦୁଇଟି ପାଦ ହରାଇଥିଲେ । ସେବେଠାରୁ ସେ କୁତ୍ରିମ ପାଦ ଦ୍ୱାରା ଚଳପ୍ରଚଳ କରୁଛନ୍ତି । ପାଦ ଦୁଇଟି ହରାଇବା ପରେ ସେ କ୍ଷତିପୂରଣ ପାଇଁ ବୀମା କମ୍ପାନୀରେ ଆବେଦନ କରିଥିଲେ । ହେଲେ ତାଙ୍କ ଚାଲ ଧରାପଡିଯାଇଥିଲା ।

ସୂଚନା ମୁତାବକ ଯେଉଁଦିନ ସାଣ୍ଡୋର ନିଜର ପାଦ ହରାଇଥିଲେ, ତାର ମାତ୍ର କିଛିଦିନ ପୂର୍ବରୁ ଗୋଟିଏ କି ଦୁଇଟି ନୁହେଁ ଏକା ସାଂଗରେ ନିଜ ନାମରେ ୧୪ ଟି ବୀମା ପଲିସି କିଣିଥିଲେ । ଏହି ଖବର ଯେତେବେଳେ ବୀମା କମ୍ପାନୀ ପାଖରେ ପହଂଚିଥିଲା ସେତେବେଳେ ସେମାନେ ସନ୍ଦେହ କରିଥିଲେ । ସେମାନେ କ୍ଷତିପୂରଣ ଦେବାରେ ଡେରି କରିଥିଲେ । ଏହାଫଳରେ ସାଣ୍ଡୋର କ୍ଷୁବ୍ଧ ହୋଇ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟରେ ଶୁଣାଣି ବେଳେ ଉଭୟ ବୀମା କମ୍ପାନୀ ଓ ସାଣ୍ଡୋର ନିଜ ନିଜର ପକ୍ଷ ରଖିଥିଲେ ।

ସାଣ୍ଡୋର ଦାବି କରିଥିଲେ କି ଆର୍ଥିକ ପରାମର୍ଶଦାତାଙ୍କ ଠାରୁ ବୁଝାବୁଝି କରିବା ପରେ ସେ ଜାଣିବାକୁ ପାଇଥିଲେ କି ସଂଚୟ ଖାତା ତୁଳନାରେ ବୀମା ପଲିସିରେ ଅଧିକ ଲାଭ ମିଳିଥାଏ । ଏହି କାରଣରୁ ସେ ଏତେଗୁଡିଏ ବୀମା ପଲିସି ନିଜ ନାମରେ କରିଥିଲେ । ହେଲେ ରେଳ ଲାଇନରେ ପାଦ ଖସିଯିବାରୁ ତାଙ୍କ ପାଦ ଉପରେ ଟ୍ରେନ୍ ମାଡିଯାଇଥିଲା । ଏନେଇ ଦୀର୍ଘ ୭ ବର୍ଷର ଯାଂଚ ପରେ ସ୍ପଷ୍ଟ ହୋଇଥିଲା କି ସାଣ୍ଡୋର ଜାଣିଶୁଣି ଚଳନ୍ତା ଟ୍ରେନ ଆଗରେ ନିଜର ପାଦ ରଖିଦେଇଥିଲେ ।