ମୟୂରଭଞ୍ଜରେ ଆଉ ଜଣେ ‘ଦାନ ମାଝୀ’: ମିଳିଲାନି ମହାପ୍ରୟାଣ ଗାଡ଼ି, ସ୍ତ୍ରୀର ଶବକୁ କାନ୍ଧରେ ବୋ‌ହିଲେ ସ୍ବାମୀ

Advertisment

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ଅଞ୍ଚଳରେ ଗତକାଲି ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଅସହାୟ ସ୍ବାମୀ ଅର୍ଥ ଅଭାବରୁ ମୃତଦେହକୁ କାନ୍ଧରେ ବୋହି ବେଶ୍ କିଛି ବାଟ ଚାଲିବା ଘଟଣା ପୁଣିଥରେ ଲୋକଙ୍କ ମନରେ ‘ଦାନ ମାଝୀ’ ଭଳି ଦୁଃଖଦ ଓ ଲଜ୍ଜାଜନକ ସ୍ମୃତିକୁ ଉଜ୍ଜୀବୀତ କରି ଦେଇଛି।

publive-image

ଗତକାଲି ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଶକୃଳି ହାଇସ୍କୁଲ ନିକଟରେ। ରରୁଆଁ ବ୍ଲକ୍ ଅନ୍ତର୍ଗତ ବୈଦ୍ୟନାଥ ଗ୍ରାମର ଶତ୍ରୁଘ୍ନ ହେମ୍ବ୍ରମଙ୍କ ପତ୍ନୀ ସୁମିତ୍ରା(୫୦)ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଗତ ମଙ୍ଗଳବାର ଦିନ ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୫ ଦିନ ଧରି ଚିକିତ୍ସିତ ହେବା ପରେ ଗତକାଲି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀଙ୍କ ମୃତଦେହକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଦେବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ଶତ୍ରୁଘ୍ନ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ମହାପ୍ରୟାଣ ଗାଡ଼ି ଯୋଗାଇ ଦେଲେନି କି ଶବ ନେବା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କଲେନି।

publive-image

ଘରୋଇ ଗାଡ଼ିଭଡ଼ା କରି ଶବ ନେବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। ତେଣୁ ବାଧ୍ୟହୋଇ ପୁଅ ଓ ଅନ୍ୟ ଜଣେ ଗାଁ ଲୋକଙ୍କ ସହଯୋଗରେ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହି ଚାଲିଥିଲେ ଶତ୍ରୁଘ୍ନ। ଶୁକୃଳି ହାଇସ୍କୁଲ ନିକଟରେ କିଛି ସ୍ଥାନୀୟ ଯୁବକ ଘଟଣା ବାବଦରେ ଅବଗତ ହେବାପରେ ସହଯୋଗର ହାତ ବଢ଼ାଇଥିଲେ। ସେଠାରୁ ଏକ ଅଟୋ ଭଡ଼ା କରି ମୃତଦେହକୁ ଘରକୁ ନିଆଯାଇଥିଲା। ତେବେ ଏହି ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. କୁନାଲ ପାତ୍ରଙ୍କୁ ପଚାରିବାରୁ ମୁଁ ଏ ବାବଦରେ ଅବଗତ ନଥିଲି ଓ ମୋ ପାଖରେ ଖବର ଥିଲେ ଯାହା ହେଲେ ବ୍ୟବସ୍ଥା କରିଥାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe