ମାନବିକତାର ପରିଚୟ ଦେଲେ ଜାୱେଦ ! ୮ ବର୍ଷୀୟ ବାଳକର ଜୀବନ ବଞ୍ଚାଇବାକୁ ରକ୍ତ ଦେବା ପାଇଁ ଭଙ୍ଗ କଲେ ରମଜାନ ଉପବାସ ।

33
ଥାଲାସେମିଆରେ ପୀଡ଼ିତ ୮ ବର୍ଷିୟ ବାଳକ ପୁନିତ କୁମାରଙ୍କୁ ରକ୍ତ ଦେବା ପାଇଁ ମଙ୍ଗଳବାର ଦିନ ରମଜାନ୍ ଉପବାସ ଭଙ୍ଗ କରିଥିଲେ ଗୋପାଳଗଞ୍ଜର ଜାୱେଦ ଆଲାମ୍ । ଭୁପେନ୍ଦ୍ର କୁମାରଙ୍କ ପୁଅ ପୁନିତର ହିମୋଗ୍ଲୋବିନ୍ ସ୍ତର କମିଯିବାରୁ ତାକୁ ତୁରନ୍ତ ଗୋପାଳଗଞ୍ଜ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ତା’ର ତୁରନ୍ତ ବ୍ଲଡ୍ ଟାନ୍ସଫ୍ୟୁଜନ୍ ଆବଶ୍ୟକ ପଡ଼ିଲା । କିନ୍ତୁ ସେ ଆବଶ୍ୟକ କରୁଥିବା ଏ ପଜିଟିଭ ବ୍ଲଡ୍ ଡାକ୍ତରଖାନାର ବ୍ଲଡ୍ ବ୍ୟାଙ୍କରେ ନ ଥିଲା । ଏପରିକି ପରିବାରରେ କାହାରି ରକ୍ତ ମଧ୍ୟ ଏ ପଜିଟିଭ ନ ଥିଲା । ହସ୍ପିଟାଲ ବୋର୍ଡରେ ପ୍ରଦର୍ଶିତ ହୋଇଥିବା ଏକ ରକ୍ତଦାନକାରୀ ସୋସାଇଟିର ନମ୍ବରରେ ଯୋଗାଯୋଗ କରିବାକୁ ଜଣେ ଝାଡୁଦାର ଭୂପେନ୍ଦ୍ରଙ୍କୁ କହିଲେ ।
ଭୂପେନ୍ଦ୍ର ଡିଷ୍ଟ୍ରିକ ବ୍ଲଡ୍ ଡୋନର୍ ଟିମର ସଦସ୍ୟ ଅନଓ୍ଵାର୍ ହୁସେନଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ପଜିଟିଭ ବ୍ଲଡ୍ ଗ୍ରୁପ୍ ଥିବା ଜାୱେଦ ଅଲାମ୍ ନାମକ ଅନ୍ୟ ଜଣେ ସଦସ୍ୟଙ୍କ ସହ ଯୋଗାଯୋଗ କଲେ । ଆଲାମ ଡାକ୍ତରଖାନାକୁ ଧାଇଁ ଗଲେ । କିନ୍ତୁ ସେ ରୋଜା ରଖି ଥିବାରୁ ତାଙ୍କ ଠାରୁ ରକ୍ତ ନେବାକୁ ମନା କଲେ ଡାକ୍ତରଖାନାର କର୍ମଚାରୀମାନେ । ତେଣୁ ରକ୍ତ ଦାନ କରିବାକୁ ଜାୱେଦ ରୋଜା ଭାଙ୍ଗିଦେଲେ ।
ଥାଲାସେମିଆରେ ପୀଡ଼ିତ ହୋଇ ଜନ୍ମିଥିବା ଲୋକେ ସୁସ୍ଥ ଲୋହିତ ରକ୍ତ କଣିକା ଉତ୍ପାଦନ ପାଇଁ ଆବଶ୍ୟକ ସ୍ୱାଭାବିକ ହିମୋଗ୍ଲୋବିନ୍ ତିଆରି କରି ପାରନ୍ତି ନାହିଁ । ତେଣୁ ଥାଲାସେମିଆ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ନିୟମିତ ବ୍ଲଡ୍ ଟାନ୍ସଫ୍ୟୁଜନ୍ ହିଁ ସମ୍ପ୍ରତି ଏକମାତ୍ର ଚିକିତ୍ସା ।