ବାଲେଶ୍ୱର ସୋମନାଥପୁରରେ ଅଭାବନୀୟ ଘଟଣା: ଖୁଚୁରା ପାଇଁ ଯୁକ୍ତିତର୍କ ପରେ ଯୁବକଙ୍କୁ ମାଡ ମାରିଲେ, ବାନ୍ଧି ଲଣ୍ଡା କଲେ ଦୋକାନୀ

68

କନକ ବ୍ୟୁରୋ: ଖୁଚୁରା ପାଇଁ ଖଣ୍ଡଯୁଦ୍ଧ । ଦୋକାନକୁ ଯାଇଛନ୍ତି, ଜିନିଷ କିଣିଛନ୍ତି, ଆଉ ଜିନିଷ ବାବଦକୁ ଟଂକା ଦେବା ବେଳେ ଦୋକାନୀଙ୍କୁ କିଛି ଖୁଚୁରା ଦେଇଛନ୍ତି, ହେଲେ ଦୋକାନୀ ନେବାକୁ ରାଜି ହେଉନାହିଁ । ହୁଏତ ଆପଣଙ୍କର ମଧ୍ୟ ଏପରି ଅନୁଭୂତି ଥିବ । ତେବେ ଖୁଚୁରାକୁ ନେଇ ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି । ଆଉ ଏହି ଖବର ଆସିଛି ବାଲେଶ୍ୱରରୁ । ଖୁଚୁରାକୁ ନେଇ ଯୁକ୍ତିତର୍କ ପରେ ଜଣେ ଯୁବକଙ୍କୁ କିଛି ଦୋକାନୀ ନିସ୍ତୁକ ମାଡ଼ ମାରିଛନ୍ତି । ଖାଲି ଏତିକି ନୁହେଁ ବରଂ ସର୍ବସାଧାରଣରେ ଯୁବକଙ୍କୁ ବାନ୍ଧି ଲଣ୍ଡା କରିଛନ୍ତି ।

ପୀଡ଼ିତ ଯୁବକ ଜଣକ ମିସ୍ତ୍ରୀ ଭାବେ କାମ କରନ୍ତି । ଗତକାଲି ସେ ଏଲଇଡି ବଲବ କିଣିବା ପାଇଁ ବଜାରକୁ ଯାଇଥିଲେ । ୧୩୦ ଟଙ୍କାର ବଲବ ଟିଏ କିଣିଥିଲେ ସେ । ଏହାପରେ ସେ ଦୋକାନୀଙ୍କୁ ୯୦ ଟଙ୍କାର ନୋଟ୍ ଓ ବାକି ୪୦ ଟଂକା ଖୁଚୁରା ପଇସା ଦେଇଥିଲେ । ଏହି ଖୁଚୁରା ଭିତରେ ୫ ଟଂକିଆ ଓ ୧୦ ଟଙ୍କିଆ କଏନ୍ ଥିଲା । ତେବେ ଦୋକାନୀ ଏହି ଖୁଚୁରା ନେବେନି ବୋଲି ରୋକଠୋକ୍ ମନା କରି ଦେଇଥିଲେ । ଖୁଚୁରା କାହିଁକି ନେବେ ନାହିଁ ବୋଲି ଯୁବକ ଜଣଙ୍କ ଦୋକାନୀଙ୍କୁ ପ୍ରଶ୍ନ ପଚାରିଥିଲେ ।

ଏହାକୁ ନେଇ ଉତ୍ୟକ୍ତ ଦୋକାନୀଙ୍କୁ ମାଡ଼ ମାରିଥିଲେ । ଏହାପରେ ଆଖପାଖ ଦେଶାନୀ ଘଟଣାସ୍ଥଳରେ ପହଂଚିଯାଇଥିଲେ । ତେବେ ଯୁବକ ଜଣଙ୍କ ଚୋରି କରୁଛନ୍ତି ବୋଲି ଦୋକାନୀ ଜଣଙ୍କ କହିବା ପରେ ସମସ୍ତେ ମିଶି ନିସ୍ତୁକ ମାଡ଼ ମାରିଥିଲେ । ଏହାସହ ବଜାର ମଝିରେ ବାନ୍ଧି ତାଙ୍କୁ ଲଣ୍ଡା କରିଦେଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପୀଡ଼ିତ ଯୁବକଂକ ପତ୍ନୀ ଥାନାରେ ଏତଲା ଦେବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।