କନକ ବ୍ୟୁରୋ: ଭୋପାଳ ରାଜପଥରେ ଯୁବକଙ୍କ ସହ ପାଶବିକ ଆଚରଣ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୀଡିତ ଯୁବକଙ୍କ ବେକରେ ବେଲ୍ଟ ବାନ୍ଧିଲେ ଏବଂ କୁକୁର ପରି ଭୋକିବା ସହ କ୍ଷମା ମାଗିବାକୁ କହୁଥିଲେ କିଛି ଯୁବକ । ତେବେ ଧର୍ମ ପରିବର୍ତ୍ତନ କରିବାକୁ ଯୁବକଙ୍କୁ ଏଭଳି ନିର୍ଯାତନା ଦେଉଥିବା ପୀଡିତଙ୍କ ପରିବାର ଲୋକ ଅଭିଯୋଗ କରିବା ସହ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ କମିଶନରଙ୍କୁ ଏହାର ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ।

Advertisment

ପୀଡିତ ଯୁବକଙ୍କ ଅଭିଯୋଗ ମୁତାବକ, ଯୁବକଙ୍କୁ ଡ୍ରଗ୍ନ ଖୁଆଇବା ସହ ଜୋରଜବରଦସ୍ତି ମାଂସ ଖୁଆଇଥିଲେ । ନିଜ ଘରୁ ଚୋରୀ କରିବାକୁ ମଧ୍ୟ ବାଧ୍ୟ କଲେ । ଏହାପରେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ କିଛି ଯୁବକ । ହେଲେ ଏଥିରେ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ଯୁବକମାନେ ତାଙ୍କୁ ଧରି ରାସ୍ତାକୁ ନେଇଥିଲେ । ସେଠାରେ ତାଙ୍କ ବେକରେ ବେଲ୍ଟ ବାନ୍ଧିବା ସହ କୁକୁର ପରି ଭୋକିବାକୁ କହି କ୍ଷମା ମାଗିବାକୁ କହିଥିଲେ । ଏହି ଘଟଣା ପରେ ମାନସିକ ଦୁଶ୍ଚିନ୍ତାରେ ଥିବା ପୀଡିତ ଯୁବକ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ।