ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ବନ୍ଧାହେଲା ପ୍ରେମିକ । ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।

1,038

କନକ ବ୍ୟୁରୋ: ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ବନ୍ଧାହେଲେ ପ୍ରେମିକ । କେନ୍ଦୁଝର ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକ ସତ୍ୟବାନ ବେହେରାଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଅଭିଯୁକ୍ତ ପ୍ରେମିକର ପୂର୍ବରୁ ଦୁଇଜଣ ପତ୍ନୀ ରହିଥିବାବେଳେ ସୁନ୍ଦରଗଡ଼ କୋଇଡ଼ା ଥାନା ଅଞ୍ଚଳର ଆଉ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ହେବାରୁ ସେ ବିବାହ କରିବାକୁ ଚାପ ପକାଉଥିଲା । ହେଲେ ସଇତାନ୍ ପ୍ରେମିକ ଯୁବତୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଯୋଜନା ମୁତାବକ ଏପ୍ରିଲ ୫ ତାରିଖ ରାତିରେ ଅଭିଯୁକ୍ତ ଅଭିଯୁକ୍ତ ଏକ ବାଇକ ଯୋଗେ ଯୁବତୀଙ୍କୁ ତାଙ୍କ ଘରୁ ଆଣି ବଡ଼ବିଲ ଶାନ୍ତିବହାଳ ସ୍ଥିତ ଶିବ ମନ୍ଦିରରେ ରହିଥିଲେ । ଭୋର ୩ଟା ବେଳେ ଅଭିଯୁକ୍ତ ପ୍ରେମିକାଙ୍କୁ ଜଟେଶ୍ୱର ମନ୍ଦିର ନିକଟ ଜଙ୍ଗଲକୁ ନେଇ ସେଠାରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଅଭିଯୁକ୍ତ ଯୁବତୀଙ୍କ ମୃତଦେହକୁ ଏକ ଗଛରେ ଟାଙ୍ଗିଦେଇ ଫେରାର ହୋଇଯାଇଥିଲା । ୯ ତାରିଖରେ ପୋଲିସ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତକୁ ଘଟଣା ସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଡାକ୍ତରୀ ପରୀକ୍ଷା କରିବା ପରେ ଅଭିଯୁକ୍ତ ପ୍ରେମିକାକୁ କୋର୍ଟ ଚାଲାଣ କରାଯାଇଛି ।