ମୁହଁରେ ବଢୁଛି ମାଂସ ପିଣ୍ଡୁଳା। ଜୀବନକୁ ବଳି ପଡୁଛି ଯନ୍ତ୍ରଣା। ଚିକିତ୍ସା ପାଇଁ ସରକାରୀ ସହାୟତା ନମିଳିଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ମନବୋଧଙ୍କ ନିବେଦନ

700

କନକ ବ୍ୟୁରୋ: ମୁହଁରେ ମାଡି ଚାଲିଛି ଟ୍ୟୁମର । ଏହାର ପ୍ରଭାବରେ ମୁହଁ ବିକୃତ ଦିଶୁଛି, ଗୋଟିଏ ଆଖିକୁ ଦେଖା ଯାଉନାହିଁ । ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରୁ ଦିଲ୍ଲୀ ଏମ୍ସ ଯାଇଥିଲେ ବି ଚିକିତ୍ସା ପାଇ ପାରିନାହାନ୍ତି । ଏବେ କଟକରେ ଯନ୍ତ୍ରଣା ଭୋଗୁଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ବଳପଦର ଗାଁର ମନବୋଧ ବାଗ । ଯଦି ସରକାର ଚିକିତ୍ସା ପାଇଁ ସହାୟତା ନକରନ୍ତି ତେବେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ମନବୋଧ ।

ମୁହଁରୁ ଛାତିକୁ ଓହଳି ରହିଛି ୬ କେଜି ଓଜନର ମାଂସ ପିଣ୍ଡୁଳା । ସର୍ବଗ୍ରାସୀ ଟ୍ୟୁମର ମୁହଁକୁ କରିଛି ବିକୃତି । ଡାହାଣ ଆଖିଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ପାଟିରେ ଖାଇବା ମଧ୍ୟ ମୁସ୍କିଲ । ବଲାଙ୍ଗୀର ମନବୋଧ ବାଗ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଗାଲରେ ମାଂସ ବଢିବା ଆରମ୍ଭ କରିଥିଲା । ଆଉ ଏବେ ୩୧ ବର୍ଷ ବୟସରେ ମୁହଁରେ ବଢୁଥିବା ଟ୍ୟୁମର ତାଙ୍କ ଜୀବନକୁ ଅଭିଶପ୍ତ କରିଛି । ବାପା ଛେଉଣ୍ଡ ମନବୋଧ ଜନ୍ତ୍ରଣା ଜର୍ଜରିତ ଜୀବନ ଜୁଉଁଥିବା ବେଳେ ୨ ସ୍ୱେଚ୍ଛାସେବୀଙ୍କ ସହାୟତାରେ ୨ ମାସ ହେବ କଟକରେ ଚିକିତ୍ସା ପାଇଁ ପଡିରହିଛନ୍ତି ।

 

ବାପା ଆରପାରିକୁ ଚାଲିଯିବା ପରେ ମନବୋଧଙ୍କ ମାଆ ମାନସିକ ବିକାରଗ୍ରସ୍ତ । ଆର୍ଥିକ ଅନଟନ ଭିତରେ ଧନ୍ଦି ହେଉଥିବା ମନବୋଧ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଅପରେସନ୍ ପାଇଁ ଜୁଲାଇ ୨୩ରେ ଦିଲ୍ଲୀ ଏମ୍ସ ବି ଯାଇଥିଲେ । ତାଙ୍କୁ ଦେଖି ପ୍ରଥମେ ଅପରେସନ ପାଇଁ ମନା କରିଦେଇଥିଲେ ଏମ୍ସର ଡାକ୍ତର । ପରେ ମନବୋଧ ଓ ଦୁଇ ସ୍ୱେଚ୍ଛାସେବୀ ଓଡିଶା ଭବନରେ ରହି ଓଡିଆ ସାଂସଦ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନଙ୍କୁ ଭେଟିଥିଲେ । ଏମ୍ସରେ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ସୁପାରିଶ ପତ୍ର ମଧ୍ୟ ଦେଇଥିଲେ । ହେଲେ ସୁପାରିଶ ପତ୍ର ଦେଖାଇ ଏମ୍ସରେ ଭର୍ତ୍ତି ହେବା ପୂର୍ବରୁ ମନବୋଧଙ୍କୁ ବଳପୂର୍ବକ ଦିଲ୍ଲୀରୁ ଓଡିଶା ପଠାଇ ଦେଇଥିଲେ ଓଡିଶା ଭବନ କର୍ମଚାରୀ ।

ତେବେ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଇ ନପାରି ଓଡିଶା ଫେରି ଆସିଥିବା ମନବୋଧ ମୁହଁର ଟ୍ୟୁମରକୁ ଧରି ଏବେ କଟକରେ ପଡି ରହିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଆଉ ଏକଥା ବି କହିଛନ୍ତି, ଯଦି ସରକାର ଚିକିତ୍ସା ପାଇଁ ସହାୟତ ନକରନ୍ତି ତେବେ ଇଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ ।