ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ ପୂର୍ବରୁ ପେଡି ଖୋଲୁଛନ୍ତି ମମତା ବାନାର୍ଜୀ

156

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ସହରି ଗରିବ ଲୋକଙ୍କ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରୀ ଗରିବ ମାନଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବେ ମମତା ସରକାର । ଗରିବ ଲୋକମାନେ ମାତ୍ର ୫ ଟଙ୍କା ଦେଇ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ ପାଇ ପାରିବେ । ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ପ୍ରଥମେ କଲକୋତା ମହାନଗରୀରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏହାପରେ ଏହାକୁ ସାରା ରାଜ୍ୟକୁ ସଂପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି ।

ଏହି ଯୋଜନାରେ ସହରି ଗରିବ ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ କଲକୋତାରେ ପ୍ରଥମ ପର୍ଯ୍ୟାୟରେ ୧୬ ଟି ରୋଷଶାଳାର ବ୍ୟବସ୍ଥା କରାଯାଇଛି । କ୍ଷମତାକୁ ଆସିବା ପୂର୍ବରୁ ତୃଣମୂଳ କଂଗ୍ରେସର ଥିବା ମା, ମାଟି ମାନୁଷ ରୁ ଏହି ଯୋଜନାର ନାମ ମା’ ରଖାଯାଇଛି । କହିରଖୁ କି କରେନା ମହାମାରୀ ବେଳେ ଯେତେବେଳେ ରାଜ୍ୟରେ ତାଲାବନ୍ଦ ଚାଲିଥିଲା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମମତା କି ରୋଷେଇ’ ନାମରେ ଏକ ଯୋଜନା କରି ସେମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯାଉଥିଲା ।

କହିରଖୁ କି ଚଳିତ ବର୍ଷ ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ପଟେ ଦୀର୍ଘବର୍ଷ ଧରି ପଶ୍ଚିମବଙ୍ଗ କ୍ଷମତାରେ ଥିବା ବାମଦଳ ତାର ସର୍ତ୍ତା ଖୋଜୁଥିବା ବେଳେ ମୁଖ୍ୟ ଲଢେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି । ଏହି କ୍ରମରେ ବିଜେପି ବଙ୍ଗଳା ଦଖଲ କରିବାକୁ ପୁରା କଳ ବଳ କୌଶଳ ଲଗାଇ ଦେଇଥିବା ବେଳେ ମମତା ବାନାର୍ଜୀ ବିଜେପିକୁ ଟକ୍କର ଦେବାକୁ ଯୋଜନା ଯୁଦ୍ଧ ଆରମ୍ଭ କରିଛି ।