ଝାଡଗ୍ରାମ ରାଲିରେ ମମତା ବାନାର୍ଜୀଙ୍କ ବଡ ଘୋଷଣା । କହିଲେ ପୁରା ରାଜ୍ୟରେ ଦିଆଯିବ ମାଗଣା କରୋନା ଟିକା

185

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ କ୍ଷମତା ଲଢେଇ ଜାରି ରହିଛି । ବିଜେପି ହେଉ କି ଟିଏମସି ସବୁ ରାଜନୈତିକ ଦଳମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ବଡ ବଡ ପ୍ରତିଶୃତି ଦେବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଝାଡଗ୍ରାମରେ ଏକ ବିରାଟ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟସରକାରଙ୍କ ତରଫରୁ ରାଜ୍ୟର ପ୍ରତି ଲୋକଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରାଯିବ ।

ମମତା ଏହା କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ବିହାର ନିର୍ବାଚନ ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ କି ସେମାନଙ୍କ ଦଳ ବିହାରରେ କ୍ଷମତାକୁ ଆସିଲେ ମାଗଣା ଟିକା ଉପଲବ୍ଧ କରାଇବେ । ହେଲେ ତାହା ସେ କଲେ ନାହିଁ   ।

କହିରଖୁ କି ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏହି ଭୋଟ ଗ୍ରହଣ ଏପ୍ରିଲ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ’ ୨ ତାରିଖରେ ନିର୍ବାଚନ ଫଳା ଫଳ ପ୍ରକାଶ ପାଇବ ।

ନିର୍ବାଚନରେ ବିଜେପି, ଟିଏମସି ଓ ବାମ-କଂଗ୍ରେସ ମେଣ୍ଟ ଭିତରେ ଜୋରଦାର ଲଢେଇ ଚାଲିଛି । ଟିଏମସି ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରି ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଥିବା ବେଳେ ବିଜେପି ଟିଏମସିକୁ ହରାଇ ଏଥର ପଶ୍ଚିମବଙ୍ଗ ଦଖଲ କରିବ ବୋଲି ପୁରା ଦମ୍ ଲଗାଇ ଦେଇଛି । ସେହିଭଳି ୧୧ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ବାମଦଳ ଏଥର କଂଗ୍ରେସ ଓ ଆଇଏସଏଫ୍ କାନ୍ଧରେ ବନ୍ଧୁକ ରଖି ପୁଣି କ୍ଷମତାକୁ ଫେରିବ ବୋଲି ଚେଷ୍ଟା ଚଳାଇଛି । କେବଳ ଦେଖିବାକୁ ବାକି ରହିଲା ପଶ୍ଚମବଙ୍ଗର ଜନତା କାହା ହାତରେ ରାଜ୍ୟର କ୍ଷମତା ସମର୍ପିତ କରୁଛନ୍ତି ।