ବିଜେପି ସାଂସଦଙ୍କ ଦାବି । ଟିଏମସିର ୬୨ ବିଧାୟକ ବିଜେପି ସଂପର୍କରେ । ୧୫ ଡିସେମ୍ବର ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର

452

କନକ ବ୍ୟୁରୋ : ୨୦୨୧ ଆରମ୍ଭରୁ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ । ହେଲେ ଏବେ ଠାରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମଧ୍ୟରେ ଛକା ପଞଞ୍ଝା ଜୋର ଧରିବାରେ ଲାଗିଛି । ଏହାସହ ନିର୍ବାଚନ ପୂର୍ବରୁ ଯେଭଳି ଦଳ ବଦଳ ଟ୍ରେଣ୍ଡ ଦେଖାଦିଏ ତାହା ଏବେ ପଶ୍ଚିମବଙ୍ଗରେ ବି ଦେଖିବାକୁ ମିଳିଲାଣି । ଏହା ମଧ୍ୟରେ ବିଜେପି ସାଂସଦ ସୌମିତ୍ର ଖାନ୍ ଦାବି କରିଛନ୍ତି କି ଟିଏମସିର ୬୨ ଜଣ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଯେଉଁମାନେ କି ଖୁବଶୀଘ୍ର ଦିଦିଙ୍କ ହାତଛାଡି ବିଜେପିରେ ଯୋଗଦେବେ । ଏହାସହ ଡିସେମ୍ବର ୧୫ ସୁଦ୍ଧା ଟିଏମସି ସଂଖ୍ୟା ଗରିଷ୍ଟତା ହରାଇ ସରକାରରୁ ବିଦା ହେବେ ବୋଲି ସେ ଦାବି କରିଛନ୍ତି ।

ଏହାପୂର୍ବରୁ ସୌମିତ୍ର ଖାନ କହିଛନ୍ତି କି ରାଜ୍ୟରେ ଏଭଳି ସ୍ଥିତି ଦେଖା ଦେଇଛି ଯେ ଆବଶ୍ୟକ ପଡିଲେ ରାଜ୍ୟପାଳ ଜଗଦୀପ୍ ଧନଖଡ ମୁଖ୍ୟମନ୍ତ୍ରୀଙ୍କୁ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗି ପାରନ୍ତି ।

କହିରଖୁ କି ମମତା ସରକାରେ ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ଅନୁମାନ କରାଯାଉଥିଲା କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ । ଯାହାକି ମମତାଙ୍କ ପାଇଁ ବୁମେରାଂ ହୋଇପାରନ୍ତି । କାରଣ ଶୁଭେନ୍ଦୁ ଅଧିକାରୀ ମେଦିନାପୁର ଅଞ୍ଚଳର ଜଣେ ଦବଙ୍ଗ ନେତା । ତାଙ୍କର ପ୍ରଭାବ ମେଦିନାପୁର ବ୍ୟତିତ ପାଖ ଜିଲ୍ଲା ମାନଙ୍କରେ ବି ରହିଛି ।

ଶୁଭେନ୍ଦୁଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଦେଖା ଦେଇଛି । ଠିକ୍ ଏହି ସମୟରେ ବିଜେପି ସାଂସଦ ସୌମିତ୍ର ସେନ ଦାବି କରୁଛନ୍ତି କି ୬୨ ଜଣ ଟିଏମସି ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଏଭଳି ଖବର ଆସିବା ପରେ ପଶ୍ଚିମବଙ୍ଗ ସରକାରଙ୍କ ଚିନ୍ତା ବଢିଯାଇଛି । ଅନ୍ୟପଟେ ଟିମସି କହିଛି କି ବିଜେପିର ୪ ଜଣ ସାଂସଦଙ୍କ ସହ କିଛି ନେତା ବି ଟିଏମସି ସଂପର୍କରେ ଅଛନ୍ତି ।