କଂଗ୍ରେସ ଓ ମମତାଙ୍କ ମଧ୍ୟରେ ସୁଧୁରୁଛି ଅନ୍ତଃକନ୍ଦଳ । ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ

683

କନକ ବ୍ୟୁରୋ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କେରଳର ୱାଏନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହି କ୍ରମରେ ସେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ ଔପଚାରିକ ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ ।

ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସି ଇଣ୍ଡିଆ ମେଣ୍ଟରେ ରହି ବି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିଥିଲେ । ହେଲେ ଏବେ ସେ ଉପ ନିର୍ବାଚନରେ କଂଗ୍ରେସ ପାଇଁ ପ୍ରଚାର କରିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କରିବାକୁ ଯାଉଛନ୍ତି ।

ସୂତ୍ର ସୂଚନା ମୁତାବକ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବାକୁ ମମତା ବାନାର୍ଜୀ ଇଚ୍ଛା ପ୍ରକାଶ କରିଛନ୍ତି । ଏହାସହ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବାରଣାସୀରୁ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସେ ପ୍ରିୟଙ୍କା ଗାନ୍ଧୀଙ୍କୁ ପରାମର୍ଶ ଦେଇଥିଲେ ।

ସୂତ୍ର ସୂଚନା ମୁତାବକ ପଶ୍ଚିମବଙ୍ଗ କଂଗ୍ରେସର ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ ଦଳରୁ ଇସ୍ତଫା ଦେବା ପରେ ଏବେ କଂଗ୍ରେସ ଓ ଟିଏମସି ମଧ୍ୟରେ ସଂପର୍କର ସୁଧାର ଆସିଛି । ଅଧୀର ରଂଜନ ଚୌଧୁରୀ ଚଳିତ ନିର୍ବାଚନରେ ବହରାମପୁର ଆସନରୁ ନିର୍ବାଚନ ଲଢିଥିଲେ ବି ସେ ଟିଏମସି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ ।