ହାଇକୋର୍ଟ ଗଲା ମମିତା ହତ୍ୟା ମାମଲା : ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି

192

କନକ ବ୍ୟୁରୋ : ହାଇକୋର୍ଟରେ ପହଞ୍ଚିଲା ମମିତା ମେହେର ହତ୍ୟା ମାମଲା । ସିବିଆଇ ତଦନ୍ତ ଦାବି କରି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ପୋଲିସ ଡିଜି, ବଲାଙ୍ଗୀର ଏସପିଙ୍କ ସମେତ ୯ଜଣ ପକ୍ଷଭୁକ୍ତ । ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦେବାକୁ ଦାବି କରାଯାଉଛି । ଏକ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜନସ୍ୱାର୍ଥ ମାମଲା ହୋଇଛି ।

ସେପଟେ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ କଲେଜ ବଦନାମ ହୋଇଯିବା ପରେ କଲେଜ ଛାଡ଼ି ଦେବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀ । ଟିସି ନେବାକୁ କଲେଜରେ ପହଂଚିଛନ୍ତି ଅଭିଭାବକ । ଆଜି ଛାତ୍ରଛାତ୍ରୀମାନେ ମଧ୍ୟ କଲେଜରେ ଟିସି ନେବାକୁ ପହଂଚିଛନ୍ତି । ଅଭିଭାବକମାନେ କହିଛନ୍ତି, ଏଠାରେ ପାଠ ପଢ଼ିଲେ ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହୋଇଯିବ । ଭବିଷ୍ୟତ ଅନ୍ଧର ହୋଇଯିବ । ଏଠାରୁ ଟିସି ନେଇ ଆମେ ଆମ ପିଲାଙ୍କୁ ଅଲଗା କଲେଜରେ ଆଡମିସନ କରିବୁ । ସରକାର ପଦକ୍ଷେପ ନେବା ଆଗରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭିଭାବକମାନେ ଏପରି ନିଷ୍ପତି ନେଇଥିବା କହିଛନ୍ତି ।

ଅନ୍ୟପକ୍ଷରେ ଖଣ୍ଡ ଖଣ୍ଡ କରି କଟା ଯାଇଥିଲା ମମିତା ମେହେରଙ୍କ ମୃତଦେହ । ପୋଡିବା ପୂର୍ବରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ଘଟଣାର ତଦନ୍ତ କରୁଥିବା ଜଣେ ସାଇଂଟିଫିକ୍ ଟିମ୍ ଅଧିକାରୀଙ୍କ ସୂଚନା ଅନୁସାରେ ପୋଡିବା ସହଜ କରିବାକୁ ଏପରି କରାଯାଇଥିଲା । ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ମିଶି ଏପରି କରିଥିବା ସନ୍ଦେହ କରୁଛି ପୋଲିସ । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ମମିତାଙ୍କୁ ପୋଡାଯାଇଥିଲା ।