ପରକୀୟା ସମ୍ପର୍କ ଜାଣିଥିଲେ ମମିତା, ଯେଉଁଥିପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ଗୋବିନ୍ଦ  । ସୂଚନା ଦେଲେ ଉତ୍ତରାଞ୍ଚଳ ଡିଆଇଜି । 

367

କନକ ବ୍ୟୁରୋ : ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା । ପ୍ରେସମିଟ୍ କରି ବଡ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି । ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତାଙ୍କୁ କାର ଭିତରେ ହତ୍ୟା କରାଯାଇଥିଲା । ଗୋବିନ୍ଦଙ୍କ ପରକୀୟା ପ୍ରୀତି ସମ୍ପର୍କ ବାବଦରେ ଜାଣିଥିଲେ ମମିତା । ଏପରିକି ବାରମ୍ବାର ଏନେଇ ଗୋବିନ୍ଦଙ୍କୁ ଧମକ ଦେଉଥିଲେ ମମିତା । କାଳେ ଏହି ଘଟଣା ବାହାରକୁ ଆସିଯିବ ସେଥିପାଇଁ ମମିତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ ।

ମମିତାଙ୍କୁ ହତ୍ୟା କରିବାକୁ ପୂର୍ବରୁ ଯୋଜନା କରିଥିଲା ଗୋବିନ୍ଦ । ଆଉ ଯୋଜନା ଅନୁସାରେ ମମିତାଙ୍କୁ ଭବାନୀପାଟଣା ଡାକିଥିଲେ ଗୋବିନ୍ଦ । ଆଉ ୮ ତାରିଖ ଦିନ ଭବାନୀପାଟଣାରୁ କେ ଗାଁକୁ ଫେରୁଥିବା ରାସ୍ତାରେ ମମିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ହତ୍ୟା କରିବା ପରେ ମମିତାଙ୍କ ମୃତଦେହକୁ ସାଥୀରେ ନେଇଯାଇଥିଲା ଗୋବିନ୍ଦ । ହତ୍ୟା ପରେ ଅନ୍ଧାର ହେଲା ପରେ  ମୃତଦେହକୁ ଷ୍ଟାଡିୟମକୁ ନେଇ ପୋଡିଥିଲେ ଗୋବିନ୍ଦ । ପରଦିନ ସକାଳେ ଜେସିବି ମେସିନରେ ଉକ୍ତ ମୃତଦେହକୁ ପୋତାଯାଇଥିଲା ।

ଏହି ହତ୍ୟାକାଣ୍ଡରେ କେତେ ଜଣଙ୍କ ସମ୍ପୃକ୍ତି ରହିଛି ତାହାର ଯାଞ୍ଚ କରୁଛି ପୋଲିସ । ୭୫ରୁ ଅଧିକ ସିସିଟିଭି ଫୁଟେଜ ଦେଖାଯାଇଛି, ସାଇଣ୍ଟିଫିକ୍ ପ୍ରମାଣ ମିଳିଛି ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ତଦନ୍ତ ଆଗକୁ ବଢାଇଥିଲା ପୋଲିସ । ଆଉ ଶେଷରେ ଉକ୍ତ ଷ୍ଟାଡିୟମ ପାଖରେ ପହଞ୍ଚି ମୃତଦେହକୁ ଉଦ୍ଧାର କରାଯାଇଥିଲା । ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ ହେବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ।