ଭରସା ତୁଟୁଛି ପୋଲିସ ଉପରୁ…! କାହା ସତ ଲୁଚାଇବାକୁ ମିଛ କହୁଥିଲା ପୋଲିସ?

458

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଘଟଣା ଉପରୁ ପୋଲିସ କେବଳ ପରଦା ହଟାଇନି ବରଂ ଅନେକ ପ୍ରଶ୍ନ ଛିଡା କରିଛି । ପୋଲିସର ପରକୀୟା ଥିଓରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । ପ୍ରେସମିଟରେ ମନ୍ତ୍ରୀଙ୍କ ବାବଦରେ ପଚରାଯାଇଥିବା ପ୍ରଶ୍ନକୁ ଉତ୍ତରାଞ୍ଚଳ ଡିଆଇଜି ଏଡାଇ ଯାଇଛନ୍ତି । କହିଛନ୍ତି କେବଳ ମମିତାଙ୍କ ପରିବାରର ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଧରାଯାଇଛି । କିନ୍ତୁ ଚର୍ଚ୍ଚା ହେଉଛି ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ପରକୀୟା ପ୍ରୀତି କାହାଣୀ ସାମ୍ନାକୁ ଆଣିଛି ପୋଲିସ । ଆଉ ଏହାଦ୍ୱାରା ପୋଲିସ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି । କାରଣ ମମିତାଙ୍କ ନିଖୋଜ ହେବା ଦିନ ଠାରୁ ଆରମ୍ଭ କରି ଏବେ ଯାଏଁ  ପୋଲିସର କାର୍ଯ୍ୟଶୈଳୀ ଉପରେ ବାରମ୍ବାର ପ୍ରଶ୍ନ ଉଠିଛି । ଏଫଆଇଆର ରଖିବା ଠାରୁ ଆରମ୍ଭ କରି ପରକୀୟା ପ୍ରୀତିର କାହାଣୀ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ପୋଲିସର କଥା ଓ କାମ ଉପରେ ସହଜରେ ଭରସା କରିପାରୁନାହାନ୍ତି ଲୋକେ ।

ଏକଥା ଆମେ ଏଥିପାଇଁ କହୁଛୁ କାରଣ ଗତ ୮ ତାରିଖରେ ମମିତା ଘରୁ ଯିବା ପରେ ଆଉ ଫେରିନଥିଲେ । ୯ ତାରିଖରେ ସିନେ୍ଧକେଲା ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଗୋବିନ୍ଦ ସାହୁଙ୍କ ନାଁରେ ଅଭିଯୋଗ ହୋଇଥିଲା । ଆଉ ୧୩ ତାରିଖରେ ଏଫଆଇଆର ଲଜ୍ ହେବା ପରେ ୧୪ ତାରିଖରେ ଗୋବିନ୍ଦଙ୍କୁ ଉଠାଇ ଆଣିଥିଲା ପୋଲିସ । ପରେ ତାଙ୍କୁ ପଚରାଉଚରା କରିବା ପାଇଁ ଟିଟିଲାଗଡ ଥାନାକୁ ନିଆଯାଇଥିଲା । କିନ୍ତୁ ୧୪ରୁ ୧୭ ଯାଏଁ ଗୋବିନ୍ଦଙ୍କୁ ଥାନାରେ ହିଁ ରଖାଯାଇଥିଲା । ନିୟମ ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ଗୋବିନ୍ଦଙ୍କୁ କୋର୍ଟକୁ ଫରୱାର୍ଡ କରିବା କଥା  । କିନ୍ତୁ ଗୋବିନ୍ଦଙ୍କ କ୍ଷେତ୍ରରେ ସେମିତି କିଛି ହୋଇନଥିଲା । ଆଉ ୧୭ ରାତିରେ ଥାନାରୁ ଚମ୍ପଟ ମାରିଥିଲେ ଗୋବିନ୍ଦ । କିନ୍ତୁ ଗୋବିନ୍ଦଙ୍କୁ ପୋଲିସ ଉଠାଇ ଆଣିବା ପର୍ଯ୍ୟନ୍ତ ମମିତାଙ୍କ ପରିବାର ଲୋକଙ୍କୁ ଝିଅ ଠିକ୍ ଥିବା କହି ଆସୁଥିଲେ ପୋଲିସ । ଏପରିକି ଫୋନ୍ ଟ୍ରାକିଂ କରି ମମିତା ରାୟପୁରରେ ଥିବା ନେଇ ପୋଲିସ ପରିବାରକୁ କହିଥିଲା ବୋଲି କହିଛନ୍ତି ସର୍ମ୍ପକୀୟ । କିନ୍ତୁ ସେତେବେଳକୁ ମମିତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଉତ୍ତରାଞ୍ଚଳ ଡିଆଇଜି ପ୍ରେସମିଟରେ ସ୍ପଷ୍ଟ କରିଥିଲେ ଯେ, ମମିତାଙ୍କୁ ୮ ତାରିଖରେ ହିଁ ହତ୍ୟା କରାଯାଇଛି । ତେଣୁ ପୋଲିସ କିଭଳି ମମିତା ଠିକ୍ ଥିବା ନେଇ ପରିବାର ଲୋକଙ୍କୁ କହୁଥିଲା । ଏଭଳି କହି ଭରସା ଓ ବିଶ୍ୱାସ ଭାଙ୍ଗି ନାହିଁ କି ପୋଲିସ?

୯ ତାରିଖରେ ପରିବାର ଲୋକଙ୍କ ପକ୍ଷରୁ ଏଫଆଇଆର ଦାୟର କରାଯାଇଥିଲେ ମଧ୍ୟ ଗୋବିନ୍ଦଙ୍କୁ ଥାନାକୁ ଆଣିବାକୁ ୧୪ ତାରିଖ ଯାଏଁ କାହିଁକି ସମୟ ନେଇଥିଲା ପୋଲିସ? ଏଭଳି କରି ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତଙ୍କୁ ସୁଯୋଗ ଦେଇଥିଲା କି ପୋଲିସ? ଏହାଛଡା ୧୪ରୁ ୧୭ ତାରିଖ ଯାଏଁ ଥାନାରେ ପଚରାଉଚରା କରିଥିଲେ ମଧ୍ୟ ଗୋବିନ୍ଦଙ୍କ ଠାରୁ କଣ କୌଣସି ତଥ୍ୟ ହାସଲ କରିପାରିନଥିଲା କି ପୋଲିସ? ନା ସବୁ ତଥ୍ୟ ଜାଣିବା ପରେ ଗୋବିନ୍ଦଙ୍କୁ ଯୋଜନାବଦ୍ଧ ଭାବେ ଫେରାର କରାଯାଇଥିଲା ? ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋବିନ୍ଦଙ୍କର ଗୋଡ ଅପରେସନ ହୋଇଥିଲା । ତେଣୁ ଥାନା ପାଚେରୀ ଡେଇଁ କିଭଳି ଗଲେ ଗୋବିନ୍ଦ, ଆଉ ଗୋବିନ୍ଦ ଫେରାର ହେବା ସମୟରେ କାହିଁକି ବିଜୁଳି କାଟ ହୋଇଥିଲା?

ଗୋବିନ୍ଦ ଫେରାର ହେବାର ପରଦିନ ଷ୍ଟାଡିୟମରେ ପହଞ୍ଚି ମାଟିତଳୁ ମମିତାଙ୍କର ମୃତହେଦ ଉଦ୍ଧାର କରାଯାଇଥିଲା । ଏହାସହ ପାଉଁଜି ଓ ସୁନାଚେନ୍ ଜବତ କରିଥିଲା ପୋଲିସ । କିନ୍ତୁ ମମିତାଙ୍କର ଫୋନ୍ କୁଆଡେ ଗଲା ସେ ବାବଦରେ କୌଣସି ତଥ୍ୟ ହାସଲ କରିଛି କି ପୋଲିସ ? ମମିତାଙ୍କ ପରିବାର ଲୋକ ପୂର୍ବରୁ କହି ଆସିଛନ୍ତି ମମିତାଙ୍କ ଫୋନରେ କିଛି ଭିଡ଼ିଓ ରହିଥିଲା । କିନ୍ତୁ ପୋଲିସ ସେ ବାବଦରେ ମୁହଁ ଖୋଲିବାକୁ ନାରାଜ  । ତଦନ୍ତର ଆଳ ଦେଖାଇ ପ୍ରମାଣ ବାବଦରେ କୌଣସି ସୂଚନା ଦେଇନାହିଁ ପୋଲିସ । ଏହାଛଡା ପରିବାର ଲୋକ ମମିତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ଏହି ପ୍ରସଙ୍ଗରେ ବି ପୋଲିସର ଅସମ୍ଭବ ନୀରବତା କେଉଁଠି ନା କେଉଁଠି ସୂଚାଉଛି ଯେ, ମମିତା ମୃତ୍ୟୁ ମାମଲାରେ କେଉଁଠି ନା କେଉଁଠି ତଦନ୍ତ ଦିଗହରା ହେଉଛି?

ସେହିଭଳି ମାଟିତଳେ ମୃତଦେହ ରହିଛି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଜାଣିବା ପରେ ପୋଲିସ ଷ୍ଟାଡିୟମରେ ଖୋଳିଥିବା ନେଇ ସ୍ପଷ୍ଟ କରିଛି । ଏପରିକି ମାଟିତଳୁ ମୃତଦେହ ମିଳିବା ଓ ଚାରିଆଡୁ ଚାପ ପଡିବାର କିଛି ଘଣ୍ଟା ମଧ୍ୟରେ ଗୋବିନ୍ଦଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ଆଉ ମାତ୍ର କିଛି ଘଣ୍ଟାର ଜେରା ଭିତରେ ପୋଲିସ ଆଗରେ ସବୁ ସତ ଓଗାଳିଥିଲା ଗୋବିନ୍ଦ । ତେବେ ୧୪ରୁ ୧୭ ତାରିଖ ଥାନାରେ ଗୋବିନ୍ଦଙ୍କୁ ଜେରା କରାଯାଉଥିଲେ ମଧ୍ୟ କିଭଳି କୌଣସି ତଥ୍ୟ ପୋଲିସ ହାସଲ କରିପାରିନଥିଲା । ନା ଜାଣିଶୁଣି ସମସ୍ତ ତଥ୍ୟକୁ କବର ଦିଆଯିବାକୁ ଯୋଜନା ପ୍ରସ୍ତୁତ ହେଉଥିଲା । ୧୪ରୁ ୧୭ ମଧ୍ୟରେ ଜେରା ସମୟରେ ଗୋବିନ୍ଦ କେଉଁ ଦିଗ ଆଡକୁ ଇଙ୍ଗିତ କରିଥିଲା ସେ ବାବଦରେ କାହିଁକି ଏଯାବତ୍ ମୁହଁ ଖୋଲୁନି ପୋଲିସ? ଏଭଳି କରି ସାଧାରଣ ଲୋକଙ୍କ ଭରସା ଭାଙ୍ଗୁନି କି ପୋଲିସ?

ଏହାବାଦ୍ ଗୋବିନ୍ଦଙ୍କୁ ଗିରଫ କରିବା ଓ ପ୍ରେସମିଟରେ ପରକୀୟା ପ୍ରୀତି ସର୍ମ୍ପକ ଜାଣିଥିବା କାରଣରୁ ମମିତାଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ । କିନ୍ତୁ କାହା ସହ ଗୋବିନ୍ଦଙ୍କର ପରକୀୟା ପ୍ରୀତି ରହିଛି ତାହା ଉପରେ କାହିଁକି ପରଦା ଢାଙ୍କୁଛି ପୋଲିସ? ନା ଗୋବିନ୍ଦଙ୍କ କଲେଜର କଳାକାହାଣୀକୁ ଲୁଚାଇବାକୁ ପରକୀୟା ପ୍ରୀତିର ଥିଓରୀ ସାମ୍ନାକୁ ଆଣିଛି ପୋଲିସ? କାରଣ ଗୋବିନ୍ଦଙ୍କ କଲେଜରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ତଦନ୍ତ ହୋଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି । କେବଳ ଅଭିଯୋଗ ଆଧାରରେ ତଦନ୍ତ ଆଗକୁ ବଢିଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗୋବିନ୍ଦ ସାହୁର କଲେଜର ଅନୈତିକ କାର୍ଯ୍ୟକଳାପ ଚାଲିଥିଲା ଏବଂ ଏହାର ତଦନ୍ତ କଲେ ଅନେକ ପ୍ରଭାବଶାଳୀଙ୍କ କଳା ସତ ସାମ୍ନାକୁ ଆସିପାରେ । କିନ୍ତୁ ଏଭଳି ତଦନ୍ତରୁ କାହିଁକି ଏଯାବତ ନିଜକୁ ଦୂରେଇ ରଖିଛି ପୋଲିସ । ଏଭଳି କରି ସାଧାରଣ ଲୋକଙ୍କ ଭରସା ଭାଙ୍ଗୁନି କି ପୋଲିସ? ନା ମମିତା ମୃତ୍ୟୁ ମାମଲାକୁ ନେଇ ଯେହେତୁ ଗୃହରାଷ୍ଟ୍ର ମନ୍ତ୍ରୀ ବିବାଦ ଘେରକୁ ଆସିଛନ୍ତି, ସେଥିପାଇଁ ପୋଲିସ ପରକୀୟା ପ୍ରୀତିର ଥିଓରୀ ଆଣି ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି କି? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକ ମନରେ ଉଙ୍କି ମାରୁଛି ଏବଂ ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି ।