ଅନ୍ଧାରୀବିଜେ ପରେ ଅଜ୍ଞାତବାସ…, ସରକାରଙ୍କୁ ଅଡୁଆରେ ପକାଇବନି ତ?

582

କନକ ବ୍ୟୁରୋ : ମୟୂରଭଞ୍ଜରୁ ମହାଲିଙ୍ଗ, କଟକରୁ କଳାହାଣ୍ଡି । ସବୁଠୁ ଜଳୁଛି ଅସନ୍ତୋଷର ନିଆଁ । ବିରୋଧୀ ତ ବିରୋଧୀ, ସାଧାରଣ ଲୋକ ବି ତାତିଲେଣି, ସରକାରଙ୍କୁ ପ୍ରଶ୍ନ କଲେଣି । ଗୋଟିଏ ଦାବି ଇସ୍ତଫା ଦିଅନ୍ତୁ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର । ମମିତା ହତ୍ୟାକାଣ୍ଡ ଘଟଣାରେ ପୂରା ରାଜ୍ୟରେ ଚିତ୍ର କିଛି ଏମିତି । କ୍ୟାପଟେନଙ୍କୁ ଅଭିଯୋଗର କାଠଗଡା ଭିତରକୁ ଟାଣିବା ପରେ ଏବେ ସରକାରଙ୍କ ପାଇଁ ସଙ୍କଟ ବଢୁଛି, ଜନଅସନ୍ତୋଷ ତେଜିଛି । ଆଉ ଏହି ଜନଅସନ୍ତୋଷକୁ ଦ୍ୱିଗୁଣିତ କରୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମୌନ ଅବତାର । ମମିତା ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସାରା ତୁମ୍ବିତୋଫାନ ହେଉଥିବା ବେଳେ ଦିବ୍ୟଶଙ୍କରଙ୍କ ଦର୍ଶନ ମିଳୁନି । କାରଣ ମମିତା ମାମଲାରେ ଉଠିଛି ଖୋଦ୍ ଦିବ୍ୟଶଙ୍କରଙ୍କ ନାଁ । ଆଉ ଏହାପରଠାରୁ ଅଜ୍ଞାତବାସରେ ଦିବ୍ୟଶଙ୍କର ଥିବା କୁହାଯାଉଛି । ତେବେ ଅଜ୍ଞାତବାସ ଠାରୁ ଦିବ୍ୟଶଙ୍କରଙ୍କ ଅନ୍ଧାରୀବିଜେ ଏବେ ସରକାରଙ୍କୁ ଅଧିକ ଅଡୁଆରେ ପକାଇଲାଣି ।

ମମିତା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହେବା ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପରକୀୟା ପ୍ରୀତି ବାବଦରେ ଜାଣିଥିବାରୁ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ନେଇ ପୋଲିସ ସ୍ପଷ୍ଟ କରିଥିବା ବେଳେ ଏବେ ବି ତଦନ୍ତ କରୁଛି । ତେବେ କେଉଁ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି ତାହା ପୋଲିସ ସ୍ପଷ୍ଟ କରୁନି । କିନ୍ତୁ ଅନ୍ୟପଟେ ପୋଲିସର ପରକୀୟା ପ୍ରୀତି ଥିଓରୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କାରଣ ଗୋବିନ୍ଦଙ୍କ କଲେଜରେ ଅନୈତିକ କାର୍ଯ୍ୟକଳାପ ବାବଦରେ ମମିତାଙ୍କ ପାଖରେ ସମସ୍ତ ପ୍ରମାଣ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏପରିକି କଲେଜର ଛାତ୍ର କହିଛନ୍ତି ଗୋବିନ୍ଦଙ୍କ କଲେଜରେ ସେକ୍ସ ରାକେଟ ଚାଲିଥିଲା । ଆଉ ଏହି ମାମଲାକୁ ନେଇ ରାଜନୀତି ସେତେବେଳେ ତେଜିଛି ଯେତେବେଳେ ମମିତାଙ୍କ ପରିବାର ଲୋକ ଓ କଲେଜ ଛାତ୍ର ସ୍ପଷ୍ଟ କରିଥିଲେ ଯେ, କଲେଜକୁ ବାରମ୍ବାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆସିଥାନ୍ତି । ଏପରିକି କଲେଜର ଲେଡିଜ ହଷ୍ଟେଲକୁ ମନ୍ତ୍ରୀ ଅନ୍ଧାରୀବିଜେ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଆଉ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଏହି ଅନ୍ଧାରୀବିଜେ ଅଭିଯୋଗ ଏବେ ବିଜେଡିକୁ ଅଡୁଆରେ ପକାଇଛି ।

ଏକଥା ଏଥିପାଇଁ କୁହାଯାଉଛି କାରଣ ମମିତା ହତ୍ୟାକାଣ୍ଡକୁ ନେଇ ଜନଆକ୍ରୋଶ ବଢିବାରେ ଲାଗିଛି । କାରଣ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରେ ସେକ୍ସ ରାକେଟ ଚାଲୁଥିବା ନେଇ ଅଭିଯୋଗ ଆସିବା ପରେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । ଆଉ ଯେତେବେଳେ ଖୋଦ୍ ମନ୍ତ୍ରୀ ଉକ୍ତ କଲେଜକୁ ବାରମ୍ବାର ଯାଉଥିବାର ଖବର ସାମ୍ନାକୁ ଆସୁଛି ସେତେବେଳେ ସରକାରଙ୍କ ବିରୋଧରେ  ଜନଆକ୍ରୋଶ  ଆହୁରି ତୀବ୍ର ହେଉଛି । ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି ତେଣୁ ମନ୍ତ୍ରୀଙ୍କୁ ନେଇ ଯେଉଁ ଜନଅସନ୍ତୋଷ ରହିଛି ତାହାକୁ ପ୍ରତିହତ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ନଚେତ ଦଳକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ ।

ଏହାବାଦ୍ ମମିତା ହତ୍ୟାକାଣ୍ଡ ଘଟଣା ରାଜ୍ୟର ମହିଳାଙ୍କ ଉପରେ ନିର୍ଯାତନା ଓ ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁ ମହିଳାଙ୍କୁ ବିଜେଡିର ବଡ ଭୋଟ ବ୍ୟାଙ୍କ ବିବେଚନା କରାଯାଏ, ମମିତା ହତ୍ୟାକାଣ୍ଡ ପରେ ସେହି ମହିଳାଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି । ଏପରିକି ମମିତା ହତ୍ୟାକାଣ୍ଡ ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଅସମ୍ଭବ ନୀରବତା ବିଜେଡି ପାଇଁ ବୁମେରାଂ ହେବ ବୋଲି କୁହାଯାଉଛି । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ଆଉ ଶାସକ ଦଳର ମନ୍ତ୍ରୀଙ୍କ ବିରୋଧରେ ଥିବା ଜନଅସନ୍ତୋଷ ନିର୍ବାଚନ ଉପରେ ବଡଧରଣର ପ୍ରଭାବ ପକାଇପାରେ । ତେଣୁ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇବା ସହ ଘଟଣାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଯାହାଦ୍ୱାରା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖକୁ ବାର୍ତ୍ତା ଯିବ ଯେ, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ଆଦୌ ପଛଘୁଞ୍ଚା ଦିଅନ୍ତି ନାହିଁ ।