ସାମ୍ନାକୁ ଆସିଲା ମହାଲିଙ୍ଗ କଲେଜର ଗୁପ୍ତ କୋଠରୀ : ଚର୍ଚ୍ଚାରେ ଥିଲା ଯୁକ୍ତ ୩ ହଷ୍ଟେଲର ରୁମ୍ ନମ୍ବର ୨୦

1,359

କନକ ବ୍ୟୁରୋ : ସାମ୍ନାକୁ ଆସିଛି ମହାଲିଙ୍ଗ କଲେଜର ଗୁପ୍ତ କୋଠରୀ । ମମିତା ମେହେର ହତ୍ୟାକାଣ୍ଡ ପରଠାରୁ ଚର୍ଚ୍ଚାରେ ରହିଆସିଛି ମହାଲିଙ୍ଗ କଲେଜ ଯୁକ୍ତ ୩ ହଷ୍ଟେଲରେ ଥିବା ରୁମ ନମ୍ବର-୨୦ । ଚର୍ଚ୍ଚା ହେଉଛି ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସେକ୍ସ ସ୍କାଣ୍ଡାଲ ସହ ଏହି ଗୁପ୍ତ କୋଠରୀରର ସଂପର୍କ ରହିଛି । ଗୁପ୍ତ କୋଠରୀକୁ ଆସୁଥିବା ନେତା, ମନ୍ତ୍ରୀ ଓ ଅନ୍ୟ ପ୍ରଭାବଶାଳୀଙ୍କ ନେଟୱର୍କର ରିମୋଟ ଏହି ରୁମ୍ ନମ୍ବର ୨୦ରୁ ନିୟନ୍ତ୍ରଣ ହୋଇଥାଏ । କୁହାଯାଉଛି ଏହି କୋଠରୀରେ ସବୁବେଳେ ବନ୍ଦ ହୋଇ ରହୁଥିଲା । ହଷ୍ଟେଲର ଅନ୍ୟରୁମ ଗୁଡିକରେ ଏକାଧିକ ବେଡ ଥିବାବେଳେ ଚର୍ଚ୍ଚାରେ ଥିବା ଏହି ରୁମରେ କେବଳ ୨ଟି ବେଡ ରହିଥିବା ଦେଖିବାକୁ ମିଳୁଛି । ତେଣୁ ଏହି ରୁମର ରହସ୍ୟ କଣ ତାର ପୁରା ସତ ଜାଣିବା ଜରୁରୀ ହୋଇପଡିଛି । ପୋଲିସ ମଧ୍ୟ ଏଦିଗରେ କିଛି ତଦନ୍ତ କରୁଛି ନା ନାହିଁ, ତାହା ରହସ୍ୟ ହୋଇ ରହିଛି ।

ଚର୍ଚ୍ଚା ମୁତାବକ କଲେଜର ଯୁକ୍ତ ୩ ହଷ୍ଟେଲ୍‌ର ତୃତୀୟ ମହଲାରେ ଅଧ୍ୟାପିକା ରହୁଥିଲେ । ଅଧ୍ୟାପିକା ଗୋବିନ୍ଦ ସାହୁର ଅତି ଅନ୍ତରଙ୍ଗ ସହଯୋଗୀ ଥିଲେ । ଗୁପ୍ତ କୋଠରୀକୁ ଆଭା ମନଇଚ୍ଛା ପ୍ରବେଶ କରୁଥିଲେ । କେଉଁ ଝିଅ ଗୁପ୍ତ କୋଠରୀକୁ ଯିବ; ଆଭାଙ୍କ ସୁପାରିସ ଦରକାର ହୋଇଥାଏ । ଗୁପ୍ତ କୋଠରୀକୁ ଆସୁଥିବା ନେତା ମନ୍ତ୍ରୀଙ୍କ ନେଟ୍‌ୱର୍କର ରିମୋଟ୍‌ ଏହି ରୁମ୍‌ ନଂ ୨୦ରୁ ନିୟନ୍ତ୍ରଣ ହୋଇଥାଏ । ଅନ୍ୟପକ୍ଷେ ଗୋବିନ୍ଦ ଯୁକ୍ତ ୩ ହଷ୍ଟେଲ୍‌ର ତଳେ ଥିବା ରୁମ୍‌ ନଂ ୪ରେ ରହିଥାଏ । ବର୍ତ୍ତମାନ ରୁମ୍‌ ନଂ ୨୦ ବନ୍ଦ ରହିଛି । ଝରକା ପାର୍ଶ୍ବରୁ ଦେଖିଲେ ହୋଟେଲ୍‌ ଭଳି ବ୍ୟବସ୍ଥା ରହିଥିବା ଜଣାପଡ଼ିଛି । ରୁମ୍‌ ନଂ୪ ଶୀତତାପ ନିୟନ୍ତ୍ରିତ ସହ ବିଭିନ୍ନ ସୁବିଧା ରହିଛି, ଯେଉଁଠି ଗୋବିନ୍ଦ ରହୁଥିଲା ।

ଅଧ୍ୟାପିକାଙ୍କ ଭଉଣୀ ବାହାଘରରେ ଯୋଗଦେବା ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଗୋବିନ୍ଦ ସାହୁ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ୍‌ ଅନ୍ତର୍ଗତ କାମପୁରକୁ ଯାଇଥିଲେ । ସେ ମଧ୍ୟ ଗୋବିନ୍ଦ ଏକ କାର୍‌ ଉପହାର ଦେଇଥିବା ଚର୍ଚ୍ଚାର ଖୋରାକ ଯୋଗାଇଛି । ସେହିଭଳି ଅଧ୍ୟାପିକାଙ୍କ ଭାଇ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ଅଛନ୍ତି । ବଲାଙ୍ଗୀର ପୁଲିସ ଅଧ୍ୟାପିକା ଓ ତାଙ୍କ ଭଉଣୀଙ୍କୁ ପଚରାଉଚୁରା ପାଇଁ ନେଇଛି । ଆଗକୁ ବଲାଙ୍ଗୀର ପୁଲିସ ଗୁପ୍ତ କୋଠରିର ରହସ୍ୟ ଉନ୍ମୋଚନ କରିବ ନା ଚପେଇ ଦେବ ସାଧାରଣରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଟିଟିଲାଗଡ଼ ଥାନା ବାରାକରୁ ଫେରାର ହେବା ପରେ ଗୋବିନ୍ଦ ସେହିଦିନ ବିଳମ୍ବିତ ରାତିରେ ଏକ ଧଳା ବଲେରୋରେ କଲେଜକୁ ଆସି ସିସିଟିଭି ହାର୍ଡଡିସ୍କ ଓ ବିଭିନ୍ନ ପ୍ରମାଣ ନଷ୍ଟ କରିଥିବା ମହାଲିଙ୍ଗରେ ଚର୍ଚ୍ଚା ହେଉଛି । ନେତା ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ଏହି ଫେରାର ପୂର୍ବ ଯୋଜନା ବୋଲି ଆଲୋଚନା‌ ହେଉଛି ।