ମମିତା ହତ୍ୟାକାଣ୍ଡ ମାମଲା : ବିଜେପିର ପ୍ରତିବାଦ ଜାରି, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ପୁରୀ ଓ ଜଗତସିଂହପୁରରେ ଜୋରଦାର ଆନ୍ଦୋଳନ

ଘେରିଲେ ଏସପି ଅଫିସ; ବିଜେଡି କହିଲା, ପୀଡିତା ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ତାହା କରୁଛନ୍ତି ସରକାର

154

କନକ ବ୍ୟୁରୋ : ପୁରୀରେ ବିଜେପି ପକ୍ଷରୁ ବିଶାଳ ରାଲି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ପ୍ରତିବାଦ ଆନ୍ଦୋଳନକୁ ଜୋରଦାର କରିଛି ବିଜେପି । ପୁରୀ ବିଜେପି ପକ୍ଷରୁ ଶହଶହ କର୍ମୀ ବିଶାଳ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ବାହାରି ଏସପି ଅଫିସ ଅଭିମୁଖେ ଯାଇଛନ୍ତି । ଦୁଇଟି ବ୍ୟାରିକେଡ୍ ଭାଙ୍ଗି ବିଜେପି କର୍ମୀ ଏସପି ଅଫିସକୁ ଧସେଇ ପଶିବା ପାଇଁ ଚେଷ୍ଟା କରିଥିଲେ । ବିଜେପି କର୍ମୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପୁଲିସ ।

ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ପୂର୍ବ ଘୋଷଣା ଅନୁସାରେ ୨୬ ଓ ୨୭ ତରିଖ ଦୁଇଦିନ ଧରି ଏସପି ଅଫିସ ଘେରାଉ କରାଯାଉଛି । ପୁରା ମାମାଲରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିବା ଅଭିଯୋଗ କରି ତାଙ୍କ ବହିଷ୍କାର ଓ ଗିରଫ ଦାବି କରୁଛି ଦଳ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସହ ଜିଲ୍ଲା ସ୍ତରର ଛାମୁଆ ନେତାଙ୍କ ନେତୃତ୍ୱରେ ଆୟୋଜନ ହୋଇଛି ଏହି ପ୍ରତିବାଦ ଶୋଭାଯାତ୍ରା ।

ସେପଟେ ଜଗତସିଂହପୁରରେ ବିଜେପିର ବିକ୍ଷୋଭ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ କରାଯାଇଛି । ଜଗତସିଂହପୁର ଏସ୍ପି ଅଫିସ୍ ଘେରାଉ କରିଥିଲେ ବିଜେପି କର୍ମୀ । ଏସ୍ପି ଅଫିସ୍କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୋଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ସହରରେ ବ୍ୟାପକ ସୁରକ୍ଷା ଗ୍ରହଣ କରାଯାଇଛି । ୪ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି ।