ମମିତା ମେହେର ହତ୍ୟା ମାମଲା : ୫ ଦିନିଆ ରିମାଣ୍ଡ ସରିବା ପରେ ଜେଲ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ

ସହଯୋଗୀ ରାଧେଶ୍ୟାମ କାଣ୍ଡିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ପୁଲିସ

364

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଜେଲ ଗଲେ ଗୋବିନ୍ଦ ସାହୁ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି । ଏବେ କଂଟାବାଞ୍ଜି ଜେଲ ହାଜତରେ ରହିବେ ଗୋବିନ୍ଦ ସାହୁ । ଏବେ ଡ୍ରାଇଭର ରାଧେଶ୍ୟାମ୍ କାଣ୍ଡିଙ୍କୁ ରିମାଣ୍ଡରେ ଆଣିପାରେ ପୋଲିସ ।

ତେବେ କେବଳ ମମିତା ହତ୍ୟା ମାମଲାର ତଦନ୍ତ କରୁଥିବା ପୋଲିସ, ଗୋବିନ୍ଦଙ୍କ ବିରୋଧରେ ଆସିଥିବା ଅନ୍ୟ ଅଭିଯୋଗର ତଦନ୍ତ ନେଇ କୌଣସି ସୂଚନା ଦେଉନାହିଁ । ମମିତାଙ୍କୁ ହତ୍ୟା କରିବାରେ ଗୋବିନ୍ଦଙ୍କୁ କିଏ ସହାୟତା କରିଥିଲେ, ପୋଲିସ ବାରାକରୁ ଫେରାର ହେବା ପଛରେ କାହାର ହାତ ଥିଲା, ଏସବୁ ଏବେବି ଅସମାହିତ ହୋଇ ରହିଛି । ତେଣୁ ପୋଲିସର ତଦନ୍ତକୁ ନେଇ ସାଧାରଣରେ କେତୋଟି ପ୍ରଶ୍ନ ଉଠୁଛି ।

– କେବଳ ମମିତା ମେହେର ହତ୍ୟା ମାମଲା ନେଇ ତଦନ୍ତ କରୁଛି କି ପୋଲିସ ?
– ହତ୍ୟାରେ ତାକୁ ସହାୟତା କରିଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ତ ?
– ଗୋବିନ୍ଦ ପଛରେ କେଉଁ ବଡବଡିଆଙ୍କ ସମର୍ଥନ ଥିଲା ତାର ତଦନ୍ତ ହେଉନାହିଁ କି ?
– ରାଧେ ଘରୁ ମିଳିଥିବା ମୋବାଇଲ କାହାର ଓ ଏହାର କଲ ରେକର୍ଡ ଯାଂଚ୍ ହେଉଛି ତ ?
– ମିଳିଥିବା ମୋବାଇଲ ଫୋନ ସଂପର୍କରେ ପୋଲିସ ଏଯାଏଁ କିଛି କହୁନାହିଁ କାହିଁକି ?
– ଗୋବିନ୍ଦର ସେକ୍ସ ସ୍କାଣ୍ଡାଲ ନେଇ ହେଉଥିବା ଅଭିଯୋଗର ତଦନ୍ତ କରାଯିବ କି ?
– ଅନ୍ୟ ସନ୍ଦିଗ୍ଧମାନଙ୍କ ମୋବାଇଲ କଲ ରେକର୍ଡ ଯାଂଚ୍ କରୁନାହିଁ କି ପୋଲିସ ?
– ପୋଲିସ ବାରାକରୁ ଚମ୍ପଟ୍ ମାରିବାରେ ଗୋବିନ୍ଦକୁ କେଉଁମାନେ ସହାୟତା କରିଥିଲେ ?
– ଗୋବିନ୍ଦ ଫେରାର ହେବା ପରେ କେଉଁ ପ୍ରଭାବଶାଳୀଙ୍କ ସହ କଥା ହୋଇଥିଲା ?