ମମିତା ମେହେର ହତ୍ୟା ମାମଲାରେ ତେଜିଲା ରାଜନୀତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଉଠୁଛିପଡୁଛି ଓଡ଼ିଶା ।

164

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମନ୍ତ୍ରୀ କେଉଁଠି ଅଛନ୍ତି, ତାହା ଜଣାପଡୁନାହିଁ । ଆଉ ସେ ସଂପୂର୍ଣ୍ଣ ନୀରବ ହୋଇଯାଇଛନ୍ତି । ଗତକାଲି ସାମ୍ବାଦିକମାନେ ଏନେଇ ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ, ପ୍ରମିଳା କହିଥିଲେ, ମନ୍ତ୍ରୀ ବ୍ୟସ୍ତ ଥାଇପାରନ୍ତି ।

ମମିତା ମେହେର ହତ୍ୟା ମାମଲାରେ ତେଜିଲା ରାଜନୀତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋକ୍ଷ । ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ସୁନ୍ଦରଗଡ, ଦେବଗଡ, ଫୁଲବାଣୀ, କରଞ୍ଜିଆ ସବୁଠି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ହୋଇଛି । ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ମୁଖ୍ୟ ଅଭିଯୁକ୍ତ ରହିଥିଲା ଏବଂ ନିଜେ ମନ୍ତ୍ରୀ ବାରମ୍ବାର କଲେଜକୁ ଆସୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଉଭୟ ବିଜେପି ଏବଂ କଂଗ୍ରେସ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଯେପର୍ଯ୍ୟନ୍ତ ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି ସେପର୍ଯ୍ୟନ୍ତ ତଦନ୍ତ ଠିକ୍ ଭାବରେ ହୋଇପାରିବନି ବୋଲି କଂଗ୍ରେସ କହିଛି ।

ଅନ୍ୟପଟେ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ପାଳନ ହୋଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ରହିଥିଲା । ସହରରେ ଅଖ, ଚକ ବନ୍ଦ ରହିବା ସହିତ ଦୋକାନ ବଜାର ସବୁ ବନ୍ଦ ଥିଲା । ଏହାର ପ୍ରଭାବ କଂଟାବାଂଝିିରେ ମଧ୍ୟ ଦେଖିବାକୁ ମିଳିଥିଲା । ମମିତା ମେହେରଙ୍କ ହତ୍ୟା ମାମଲା, ସାରା ରାଜ୍ୟରେ ନିଆଁ ଲଗାଇ ଦେଇଛି । ରାଜନୀତି ଯେତିକି ଜୋର ଧରିଛି, ସାଧାରଣ ଲୋକଙ୍କ ମନରେ ବି ସେତିକି ଅସନ୍ତୋଷ ବଢ଼ିବାରେ ଲାଗିଛି ।