କାଳ ରାତି ପୂର୍ବରୁ ମମିତାଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ! ବାରାକରେ ଥାଇ ମନ୍ତ୍ରୀଙ୍କୁ ଫୋନ୍ କରିଥିଲା କି ଗୋବିନ୍ଦ ସାହୁ ?

376

କନକ ବ୍ୟୁରୋ : ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ସ୍କୁଲକୁ ଡାକିବା ପୂର୍ବରୁ ତାଙ୍କ ଆକାଉଣ୍ଟରେ ୭ ହଜାର ଟଙ୍କା ପଠାଯାଇଥିଲା । ଅକ୍ଟୋବର ୮ ତାରିଖରେ ତାଙ୍କୁ ହତ୍ୟା କରାଯାଇଥିଲା, ଏହା ପୂର୍ବ ଦିନ ଅର୍ଥାତ୍ ୭ ତାରିଖରେ ଏହି ଟଙ୍କା ପଠାଯାଇଥିଲା । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୁଣି ଥରେ କହିଛନ୍ତି, ରାୟପୁର ଘରେ ମନ୍ତ୍ରୀ, ମମିତା ଓ ଗୋବିନ୍ଦ ଭିତରେ ଆପୋଷ ଆଲୋଚନା ହୋଇଥିଲା । ସେପଟେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଅଭିଯୋଗକୁ ଖଣ୍ଡନ କରିିଛନ୍ତି ।

ଏହାରି ଭିତରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବୟାନ ପୁଣି ଥରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କାଠଗଡାକୁ ଟାଣିଛି । ସେପ୍ଟେମ୍ବର ୨୦ ରୁ ୨୩ ପର୍ଯ୍ୟନ୍ତ ମମିତା, ଗୋବିନ୍ଦ ସାହୁ ଓ ଦିବ୍ୟଶଙ୍କର ରାୟପୁର ଘରେ ରହିଥିଲେ । ମମିତାଙ୍କୁ ବୁଝାଇବାକୁ ସମସ୍ତ ଚେଷ୍ଟା କରିବା ସତ୍ୱେ ନିଷ୍କର୍ଷ ନବାହାରିବାରୁ ତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି କରିଥିଲା ଗୋବିନ୍ଦ ।

ଏସବିଆଇ ଆକାଉଣ୍ଟ ନମ୍ବର – ୩୫୩୩୫୪୩୩୯୮୯ । ମମିତା ମେହେରଙ୍କ ନାଁରେ ଥିବା ଏହି ଆକାଉଣ୍ଟ ଏବେ ଚର୍ଚ୍ଚାର ପରିଧିକୁ ଆସିଛି । ହତ୍ୟା କରିବାର ପୂର୍ବଦିନ ଅର୍ଥାତ୍ ୭ ଅକ୍ଟୋବରରେ ଏହି ଆକାଉଣ୍ଟକୁ ଆସିଥିଲା ଟଙ୍କା । ଯାହାର ତଥ୍ୟ ସାମ୍ନାକୁ ଆଣିଛନ୍ତି ସନ୍ତୋଷ ସିଂ ସାଲୁଜା ।

ପ୍ରଶ୍ନ ଉଠୁଛି,
– ମମିତାଙ୍କ ଆକାଉଣ୍ଟକୁ କାହିଁକି ଟଙ୍କା ପଠାଇଥିଲା ଗୋବିନ୍ଦ ?
– ହତ୍ୟା କରିବା ନେଇ ଚିନ୍ତା କରି ପ୍ରଲୋଭିତ କରି ଡକାଇଥିଲା କି ?

ସେହିଭଳି ପୋଲିସ ହେପାଜତରେ ଥିବା ବେଳେ ଦିବ୍ୟଶଙ୍କରଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ଆଉ ଏହାରି ଉପରେ କାହିଁକି ଚୁପ୍ ବସିଛି ପୁଲିସ ? ଏହାରି ଭିତରେ ପୁଣି ଥରେ ସମାନ କଥା ଦୋହରାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଥରେ ନୁହେଁ ବରଂ ତିନି ଥର ମନ୍ତ୍ରୀଙ୍କ ରାୟପୁର ଘରେ ବୈଠକ କରି ମମିତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା ।
ଯଦିଓ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଭିଯୋଗ ଭିତ୍ତିହୀନ ବୋଲି ମନ୍ତ୍ରୀ କହୁଛନ୍ତି, ହେଲେ କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବାର ଆବଶ୍ୟକତା ରହୁଛି ।

ପ୍ରଶ୍ନ – ୦୧ : ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ କି ମନ୍ତ୍ରୀ ?
ପ୍ରଶ୍ନ – ୦୨ : ବାରାକରେ ଥାଇ ଗୋବିନ୍ଦ ମନ୍ତ୍ରୀଙ୍କୁ ଫୋନ୍ କରିଥିଲା କି ?
ପ୍ରଶ୍ନ – ୦୩ : ରାୟପୁର ଘରକୁ ଗୋବିନ୍ଦ ଓ ମମିତା କେବେ ଯାଇଥିଲେ ନା ନାହିଁ ?
ପ୍ରଶ୍ନ – ୦୪ : ମମିତାଙ୍କ ପାଖରେ କ’ଣ ତଥ୍ୟ ଥିଲା ଯେ, ମନ୍ତ୍ରୀଙ୍କ ଘନିଷ୍ଠ ଗୋବିନ୍ଦ ତାଙ୍କୁ ମାରିଦେଲେ ?