ମମିତା ହତ୍ୟା ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ଓ ଗିରଫ ଦାବିରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କର କହିଲେ, ଯାଇନାହାନ୍ତି ସନସାଇନ୍ ସ୍କୁଲ, ଯାଆନ୍ତି ମହାଲିଙ୍ଗ କଲେଜ ।

169

କନକ ବ୍ୟୁରୋ : ମମିତା ମେହେର ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନୂଆପଡା ଗସ୍ତବେଳେ ବିରୋଧୀଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି କହିଛନ୍ତି, ଘଟଣାକୁ ନେଇ ଯାହା କୁହାଯାଉଛି ସବୁ ମିଛ । ସନସାଇନ ସ୍କୁଲ ସହ କୌଣସି ସମ୍ପର୍କ ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ସେପଟେ ଦିବ୍ୟଶଙ୍କରଙ୍କ ସଫେଇ ପରେ ବି ଶାନ୍ତ ପଡିନାହାନ୍ତି ବିରୋଧୀ । ଦିବ୍ୟଶଙ୍କର ମିଶ୍ରଙ୍କୁ ମମିତା ହତ୍ୟା ମାମଲାରେ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି । ଏବଂ ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ଜବାବ ରଖନ୍ତୁ ବୋଲି କହିଛି କଂଗ୍ରେସ ।

ବିରୋଧୀଙ୍କ ଅଭିଯୋଗକୁ ମନ୍ତ୍ରୀଙ୍କ ଖଣ୍ଡନ । ‘ଅଭିଯୋଗରେ ନାହିଁ ସତ୍ୟତା, ମିଛ କହୁଛନ୍ତି ବିରୋଧୀ’ । ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିବା ନେଇ ବିରୋଧୀ ଆଣିଥିବା ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତିି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କହିଛନ୍ତି, ଘଟଣାକୁ ନେଇ ଯାହା କୁହାଯାଉଛି ସବୁ ମିଛ । ବିରୋଧୀ ଏନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ସେଥିରେ କୌଣସି ସତ୍ୟାସତ୍ୟ ନାହିଁ ।

ମମିତାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟଶଙ୍କରଙ୍କ କଣ ସମ୍ପର୍କ ରହିଛି ? ତାର ଯାଂଚ କରିବାକୁ ବିରୋଧୀ ଦାବି କରି ଆସୁଥିବାବେଳେ ମନ୍ତ୍ରୀ କହିଛନ୍ତି, କେବଳ ବିଧାୟକ ଭାବେ ମହାଲିଙ୍ଗ କଲେଜ୍ ସହ ତାଙ୍କର ସମ୍ପର୍କ ଥିଲା । ସନସାଇନ ସ୍କୁଲ ସହ ତାଙ୍କର କୌଣସି ସମ୍ପର୍କ ନଥିଲା ।

ଦିବ୍ୟଶଙ୍କରଙ୍କ ସଫେଇ ପରେ ବି ଶାନ୍ତ ପଡିନାହାନ୍ତି ବିରୋଧୀ । ଦିବ୍ୟଶଙ୍କର ମିଶ୍ରଙ୍କୁ ମମିତା ହତ୍ୟା ମାମଲାରେ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରେଳ ଷ୍ଟେସନ, ମାଷ୍ଟରକ୍ୟାଣ୍ଟିନ ଛକରେ ଦସ୍ତଖତ ସଂଗ୍ରହ କରାଯାଇଛି । ମନ୍ତ୍ରୀଙ୍କ ସଫେଇକୁ ନେଇ ସମାଲୋଚନା କରିଛି କଂଗ୍ରେସ । ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।
ମମିତା ମେହେରଙ୍କୁ ନ୍ୟାୟ ଦାବିରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି । ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷା ନମ୍ରତା ଚଢ଼ା, ଅଞ୍ଜନା ମିଶ୍ର ଓ ପ୍ରୀତି ଧଳ । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଠିକ୍ ବାଟରେ ଚାଲିଛି ତଦନ୍ତ । ରାଜନୀତି କରୁଛନ୍ତି ବିରୋଧୀ । ଅନ୍ୟପଟେ ମମିତାଙ୍କ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି । ମାମଲାରୁ ଉପଯୁକ୍ତ ତଦନ୍ତ ଓ ତ୍ୱରିତ ଶୁଣାଣି ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମମିତାଙ୍କ ବାପା ଓ ଭାଇ ।