ମମିତା ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଜାତୀୟ ମହିଳା କମିଶନଙ୍କ ଚିଠି, ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କର

136

କନକ ବ୍ୟୁରୋ : ମମିତା ହତ୍ୟା ମାମଲାରେ ବିଭିନ୍ନ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ଜାତୀୟ ମହିଳା କମିସନ୍‌ ନିଜ ଆଡ଼ୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଘଟଣାରେ ସଂପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛନ୍ତି । କମିସନ କହିଛନ୍ତି, ଯେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସ୍କୁଲର ନିଖୋଜ ଶିକ୍ଷୟିତ୍ରୀ ମମିତାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇ ବିଦ୍ୟାଳୟର ନିର୍ମାଣାଧୀନ ‌ଷ୍ଟାଡିୟମ୍‌ରେ ପୋତି ଦିଆଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ହୋଇଥିଲା ଯେ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ।

ଅଭିଯୋଗ ଅନୁସାରେ ମନ୍ତ୍ରୀ ଶ୍ରୀ ମିଶ୍ର ବାରମ୍ବାର ବିଦ୍ୟାଳୟକୁ ଯିବା ସହିତ ସେଠାରେ ରାତ୍ରି ଯାପନ କରୁଥିଲେ । ଆଉ ଜଣେ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅନେକ ସମୟରେ ଉକ୍ତ ସ୍କୁଲକୁ ଯାଉଥିବାର ଅଭିଯୋଗ ରହିଛି । ଏଭଳି ଘଟଣାକୁ ନିନ୍ଦା କରି କମିସନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ ରାଜ୍ୟର ମନ୍ତ୍ରୀମାନେ ମହିଳା ନିର୍ଯାତନା ମାମଲାରେ ସଂପୃକ୍ତି ସହ ପୋଲିସ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହି ମାମଲ‌ାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କମିସନ ପକ୍ଷରୁ ଅନୁରୋଧ କରାଯିବା ସହିତ ପୋଲିସ ଦ୍ବାରା ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ କହିଛନ୍ତି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଏହି ମାମଲାର ତଦନ୍ତରେ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମମିତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ଦେବା ପାଇଁ ବି କହିଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଏହି ମାମଲ‌ାରେ ତଦନ୍ତ ଶେଷ କରି କାର୍ଯ୍ୟାନୁଷ୍ଠାନ ସଂପର୍କରେ ତୁରନ୍ତ ଅବଗତ କରିବା ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି ।

ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ସୁଲତା ଦେଓ ଟୁଇଟ୍ କରି କହିଛନ୍ତି ଯେ ଜାତୀୟ ମହିଳା କମିସନ ପରିହାସର ପାତ୍ର ହେବା ସହ ପକ୍ଷପାତିତା ଢଙ୍ଗରେ କାର୍ଯ୍ୟ କରୁଛନ୍ତି । କହିଛନ୍ତି ଯେ ତଦନ୍ତ ଶେଷ ହେବା ତୁମେ ନିଷ୍କର୍ସରେ ପହଞ୍ଚିଯାଇଛ । ମହିଳାଙ୍କ ଉପରେ ଅଧିକ ଅପରାଧ ହେଉଥିବା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଆସାମରେ କେତେଜଣ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଆପଣ ଦାବି କରିଛନ୍ତି ? ଦୟାକରି ଏକ ରାଜନୈତିକ ଦଳ ଭଳି ନହୋଇ ଜାତୀୟ କମିସନ ଭଳି ଆଚରଣ ପ୍ରଦର୍ଶନ କରନ୍ତୁ । ଆପଣ ଜାତୀୟ ମହିଳା କମିସନଙ୍କୁ ଏକ ‌ପରିହାସର ପାତ୍ର କରିଦେଇଛନ୍ତି ।