ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର : ଅପରାଧ ସହ ନାହିଁ ତାଙ୍କର ସଂପର୍କ; ପ୍ରମାଣ କରିଦେଲେ ଛାଡିଦେବେ ରାଜନୀତି

ଲେଖାଶ୍ରୀ କହିଲେ, ଯଦି ସଂପୃକ୍ତି ନାହିଁ, ତେବେ ସିବିଆଇକୁ ଦିଆଯାଉ ମାମଲା

156

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ହତ୍ୟାକାଣ୍ଡ ସହ ତାଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ମିଶ୍ର କହିଛନ୍ତି । ମମିତାଙ୍କ ପରିବାର ପ୍ରତି ଗଭୀର ସମବେଦନା ରହିଛି, ଦୋଷୀ କଠୋର ଦଣ୍ଡ ପାଉ ବୋଲି କହିଛନ୍ତି । ତିନି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମିଥ୍ୟା, ମନଗଢା ଓ ଭିତ୍ତିହୀନ ଅଭିଯୋଗ ଆଣି ଖବର ପ୍ରସାରଣ କରୁଛନ୍ତି । ଯଦି ପ୍ରମାଣ ଅଛି ତାହେଲେ ପୋଲିସ ଓ କୋର୍ଟରେ ପ୍ରମାଣ ଦିଅନ୍ତୁ ବୋଲି ମନ୍ତ୍ରୀ ବିବୃତି ଜାରି କରି କହିଛନ୍ତି ।

ଜନପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଥାଏ ଓ ସେଠାରେ ପରବର୍ତ୍ତୀ ସମୟରେ କୌଣସି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ । ମୁଁ ବିରୋଧୀ ରାଜନୈତିକ ଦଳ ଓ ଗଣମାଧ୍ୟମକୁ ଅନୁରୋଧ କରିବି ଯେ ଯଦି ଆପଣଙ୍କର ଏହି ପ୍ରସଙ୍ଗରେ ମୋ ବିରୋଧରେ କିଛି ପ୍ରମାଣ ଅଛି ତେବେ ଦୟାକରି ଏହାକୁ ପୁଲିସ କିମ୍ବା କୋର୍ଟ ନିକଟରେ ଦାଖଲ କରନ୍ତୁ । ମୁଁ କେବଳ ମୋ ପଦରୁ ଇସ୍ତଫା ଦେବି ନାହିଁ, ବରଂ ମୁଁ ସାଧାରଣ ଜୀବନରୁ ସନ୍ନ୍ୟାସ ନେଇଯିବି । ହେଲେ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି କୌଣସି ବ୍ୟକ୍ତିଗତ ନିନ୍ଦା ଅଭିଯାନରେ ସାମିଲ ହୁଅନ୍ତୁ ନାହିଁ ।

ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି, ବାୟୁସେନାରେ ଥିଲି । ବାୟୁସେନାରେ ମୁଁ ଗୋଟିଏ କଥା ଶିଖିଛି ଯେ ନିଜକୁ ପଛେ ବଳି ଦେଇଦେବ ହେଲେ ଜଣେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବନାହିଁ। ମୁଁ ଉଚ୍ଚ ବେତନପ୍ରାପ୍ତ ପାଇଲଟ ଚାକିରି ଛାଡ଼ି ଜୁନାଗଡ଼ ଓ କଳହାଣ୍ଡି ଲୋକଙ୍କର ସେବା ପାଇଁ ରାଜନୀତିରେ ଯୋଗ ‌ଦେଇଥିଲି। ଯେତେବେଳେ ମୁଁ ରାଜନୀତିରେ ଯୋଗଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି । ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ । ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନ ଠାରୁ ମୋ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି । ଏହାସହ ମା’ ମାଣିକେଶ୍ବରୀଙ୍କ ନାମରେ ଶପଥ ନେଇ କହିଛନ୍ତି ଯେ ଏହି ଅପରାଧ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

ସେଥିପାଇଁ ତିନି ଗଣମାଧ୍ୟମ ନାଁରେ ଉପଯୁକ୍ତ କୋର୍ଟରେ ସେ ମାନହାନି ମକଦ୍ଦମା କରିଛନ୍ତି ବୋଲି କହିଛନ୍ତି । ଯଦି ଅଭିଯୋଗ ପ୍ରମାଣିତ ହେବ ତାହେଲେ ସେ ପଦରୁ ଇସ୍ତଫା ଦେବା ସହିତ ସାଧାରଣ ଜୀବନରୁ ସନ୍ୟାସ ନେବେ ବୋଲି କହିଛନ୍ତି । ଏଥିପାଇଁ ସେ ମାଣିକେଶ୍ୱରୀଙ୍କ ନାଁରେ ଶପଥ ଖାଇ କହିଛନ୍ତି ବୋଲି କହିଛନ୍ତି । ଗଣମାଧ୍ୟମ ବଦନାମର ଅଭିଯାନ ଚଳାଇବା ସହ ନୀରବତାକୁ ପ୍ରଶ୍ନ କରୁଛନ୍ତି । ଯେହେତୁ ଏହା ଏକ ଜଘନ୍ୟ ଅପରାଧ ଥିଲା, ତେଣୁ ମନ୍ତବ୍ୟ ଦେବାରୁ ଦୂରେଇ ଥିଲି ବୋଲି ଦିବଶ୍ୟଙ୍କର କହିଛନ୍ତି । ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ଯୋଗ ଦେଇଥିବା ଶିକ୍ଷାନୁଷ୍ଠାନରେ ଅପରାଧ ଘଟିଲେ, ଦାୟୀ କରାଯାଇ ପାରିବନି ବୋଲି ସେ କହିଛନ୍ତି ।

ମନ୍ତ୍ରୀଙ୍କ ବିବୃତି ପରେ ଜବାବ ରଖିଛି ବିଜେପି । ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମଳିନୀ କରି କହିଛନ୍ତି, ମନ୍ତ୍ରୀ କେତେ ମର୍ମାହତ ଜଣାପଡୁଛି । ହତ୍ୟା ଘଟଣାର ଏତେ ଦିନ ପରେ ବି ମନ୍ତ୍ରୀ ଥରୁଟିଏ ମୃତକଙ୍କ ପରିବାର ଲୋକଙ୍କୁ ଭେଟିନାହାନ୍ତି । ନୈତିକତା ଦୃଷ୍ଟିରୁ ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବାର ଥିଲା । ମାମଲାରେ ବ୍ୟକ୍ତିଗତ ସଂପୃକ୍ତିର କଥା ଉଠୁଥିବାରୁ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯଦ ମନ୍ତ୍ରୀ ଇସ୍ତଫା ଦେବେନି ତାହେଲେ କେମିତି ନିରପେକ୍ଷ ତଦନ୍ତ ହେବ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଯେଉଁ ଭିଡିଓ ପାଇଁ ମମିତାଙ୍କର ମୃତ୍ୟୁ ହୋଇଛି ଏ ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି । ମମିତା ପ୍ରସଙ୍ଗରେ ଗୋବିନ୍ଦ ସାହୁ ହତ୍ୟାକାରୀ କିନ୍ତୁ ମନ୍ତ୍ରୀଙ୍କ ବିବୃତିରେ ଗୋବିନ୍ଦଙ୍କ କଥା କିଛି ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି ।