କଲେଜରେ ଚାଲିଥିଲା ସେକ୍ସ ରାକେଟ୍ ! ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲରେ ଲୁଚି ରହିଛି ଅନେକ ଗୁମର ।

434

କନକ ବ୍ୟୁରୋ : ଗୋବିନ୍ଦ ସାହୁଙ୍କ ବିରାଟ ସାମ୍ରାଜ୍ୟରେ ସବୁ ଠାରୁ ରହସ୍ୟମୟ ହେଉଛି କଲେଜର ଲେଡିଜ୍ ହଷ୍ଟେଲ । ଆଜି ପୁଲିସ ଲେଡିଜ୍ ହଷ୍ଟେଲ ଯାଇ ଛାନଭିନ୍ କରିଛି । ସେପଟେ କଲେଜରେ ପଢୁଥିବା ଜଣେ ଛାତ୍ର କହିଛନ୍ତି, କଲେଜରେ ସେକ୍ସ ରାକେଟ୍ ଚାଲିଥିବା ନେଇ ସେମାନେ ଜାଣିଥିଲେ । ଗୋବିନ୍ଦଙ୍କ ସମ୍ପର୍କରେ ଥିବା କେବଳ କିଛି ଛାତ୍ରୀଙ୍କୁ ମୋବାଇଲ ଧରିବାକୁ ଅନୁମତି ଦିଆଯାଇଥିବା କୁହାଯାଇଛି ।

ଲେଡିଜ୍ ହଷ୍ଟେଲକୁ ନେଇ ବଢୁଛି ରହସ୍ୟ । ଛାନଭିନ୍ ଆରମ୍ଭ କଲା ପୁଲିସ । ମମିତା ମେହେରଙ୍କ ହତ୍ୟା ମାମଲା ସହ ମହାଲିଙ୍ଗ କଲେଜ୍ ଲେଡିଜ୍ ହଷ୍ଟେଲର ଲିଙ୍କ୍ ନେଇ ସନ୍ଦେହ ବଢୁଥିବା ବେଳେ ପୁଲିସ ଆରମ୍ଭ କରିଛି ତଦନ୍ତ । ଡିଆଇଜି, ବଲାଙ୍ଗୀର ପୁଲିସ ଓ ତଦନ୍ତକାରୀ ଅଧିକାରୀ ହଷ୍ଟେଲରେ ପହଞ୍ଚି ଯାଞ୍ଚ କରିଛନ୍ତି ।

ଅଭିଯୋଗ ହୋଇଛି, ସେକ୍ସ ର୍ୟାକେଟ୍ ଚଳାଇବା ପାଇଁ ଯୋଜନାବଦ୍ଧ ଭାବେ ବ୍ୟବସ୍ଥା କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ହଷ୍ଟେଲ ନିକଟରେ କଲେଜର ଗେଷ୍ଟ ହାଉସ କରାଯାଇଥିଲା । ଗେଷ୍ଟ ହାଉସରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ବହୁ ପ୍ରଭାବଶାଳୀ ଲୋକ ବାରମ୍ବାର ଆସି ରହୁଥିବା ନେଇ ଅଭିଯୋଗ ହୋଇଛି । କଲେଜର ଜଣେ ଛାତ୍ର ଅଭିଯୋଗ କରିଛନ୍ତି, ଲେଡିଜ୍ ହଷ୍ଟେଲ ନିକଟରେ ସବୁବେଳେ ଦେଖିବାକୁ ମିଳୁଥିଲା ଗୋବିନ୍ଦ ସାହୁଙ୍କ ଗାଡ଼ି ।

ବାସ୍ତବରେ କଲେଜ୍ ଆଳରେ କ’ଣ ସବୁ ଚାଲିଥିଲା, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି । ଭବିଷ୍ୟତ ଗଢ଼ିବା ସ୍ୱପ୍ନ ନେଇ ଶହ ଶହ ଛାତ୍ରଛାତ୍ରୀ ଯେଉଁଠିକୁ ଆସୁଥିଲେ, ସେହି ମହାଲିଙ୍ଗ କଲେଜକୁ ଆଉ ଭରସାକୁ ନେଇପାରୁନାହାନ୍ତି ଅଭିଭାବକ । ଏଠାରେ ପାଠ ପଢ଼ିଲେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ଆଶଙ୍କା କରି ଟିସି ନେବା ପାଇଁ କଲେଜ ପହଞ୍ଚିଥିଲେ ଅନେକ ଅଭିଭାବକ । ତେବେ ଏହି ଲେଡିଜ୍ ହଷ୍ଟେଲକୁ ନେଇ ଅଧିକ ଛାନଭିନ ହେଲେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି ।