ମମିତା ମେହେର ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଡନ । ଅପରାଧୀକୁ ଦେଇଥିଲେ କି ସୁରକ୍ଷା ?

295

କନକ ବ୍ୟୁରୋ : ମମିତା ମେହେର ନିଖୋଜ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଏତେ ବଡ ଅପରାଧୀକୁ କେମିତି ମନ୍ତ୍ରୀ ସୁରକ୍ଷା ଦେଉଥିଲେ ସେ ନେଇ ପ୍ରଶ୍ନ ଉଠିଛି । ଖୋଦ୍ ଗୋବିନ୍ଦ ସାହୁର କଲେଜରେ ଭାଷଣ ଦେଇ ମନ୍ତ୍ରୀ କହିଥିଲେ, ଏଠାକୁ ସେ ଯେତେବେଳେ ଆସନ୍ତି, ସେ ୟଙ୍ଗ ଫିଲ୍ କରନ୍ତି ।

ଗୋବିନ୍ଦ ସାହୁଙ୍କ କଲେଜକୁ ଯେତେବେଳ ମନ୍ତ୍ରୀ ଆସନ୍ତି, ସେତେବେଳେ ସେ କୁଆଡେ ୟଙ୍ଗ ଫିଲ୍ କରନ୍ତି । ଏହାର ଅର୍ଥ କ’ଣ ତାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି । ଆଉ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରକୁ ଆସି ଯାଇଛନ୍ତି । କାରଣ ଅତି ଜଘନ୍ୟ ଭାବରେ ଘଟାଯାଇଥିବା ଏକ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀକୁ ମନ୍ତ୍ରୀ ଏଭଳି ପ୍ରଶଂସା କରିଥିଲେ ଯାହା କେହି ଗ୍ରହଣ କରିପାରୁନାହାନ୍ତି ।

ଗୋବିନ୍ଦ ସାହୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ ହେଉଛି, ତାଙ୍କ ସ୍କୁଲ ଓ କଲେଜରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିବା ପାଇଁ ଅର୍ଥ ଲୋଭ ଓ ଧମକଚମକ ଦିଆଯାଏ । ଏହାଛଡ଼ା ଆଉ ଏକ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ତାହା ହେଉଛି ଗୋବିନ୍ଦ ସାହୁଙ୍କ ସ୍କୁଲ ଓ କଲେଜକୁ ଶିକ୍ଷାନୁଷ୍ଠାନ ସମ୍ପର୍କିତ ସମସ୍ତ ସରକାରୀ ସୁବିଧା ମିଳିଛି । କିନ୍ତୁ ୨୦୧୪ରେ ଏହି କଲେଜରେ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ପ୍ରଶ୍ନ ହେଉଛି, ଏତେ କେଳେଙ୍କାରୀ ସତ୍ୱେ ମନ୍ତ୍ରୀ କାହିଁକି ଗୋବିନ୍ଦ ସାହୁଙ୍କୁ ଏତେ ପ୍ରଶଂସା କରନ୍ତି ।

ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ବିରୋଧରେ ଆଉ ଏକ ସାଂଘାତିକ ପ୍ରଶ୍ନ ଉଠାଇଛନ୍ତି । ଯେ କାହିଁକି ସେହି କଲେଜକୁ ବାରମ୍ବାର ମନ୍ତ୍ରୀ ଆସନ୍ତି ? ତେବେ ଏସବୁ ପ୍ରଶ୍ନର ଉତ୍ତର କେବଳ ମନ୍ତ୍ରୀ ନିଜେ ହିଁ ଦେଇପାରିବେ । ସେପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ବିଜେଡି କହିଛି ଏହା ଏକ ସମ୍ବେଦନଶୀଳ ଘଟଣା, ଆଇନ୍ ତା’ବାଟରେ ଯିବ ।