ମମିତା ମୃତ୍ୟୁ ମାମଲାରେ ଥମୁନି ବିବାଦ, ସରୁନି ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ବିକ୍ଷୋଭ ।

Advertisment
ମମିତା ମୃତ୍ୟୁ ମାମଲାରେ ଥମୁନି ବିବାଦ, ସରୁନି ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀଙ୍କ ବିକ୍ଷୋଭ ।

କନକ ବ୍ୟୁରୋ : ବିବୃତି ପରେ ବିବାଦ କମିବା ବଦଳରେ ବଢ଼ିଚାଲିଛି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ଉଭୟ ବିଜେପି ଓ କଂଗ୍ରେସ ଜାରି ରଖିଛନ୍ତି ଆନ୍ଦୋଳନ । ବିଜେପିର କେନ୍ଦ୍ରୀୟ ଟିମ୍ ମା’ ମାଣିକେଶ୍ୱରୀଙ୍କ ଦ୍ୱାହି ଦେଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ସିବିଆଇ ତଦନ୍ତ ନହେଲେ ନିରପେକ୍ଷ ତଦନ୍ତ ଅସମ୍ଭବ ବୋଲି ଯୁକ୍ତି ବାଢ଼ିଛି ଦଳ । ସେପଟେ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିବା ସହ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ।

ଯେଉଁ କଳାହାଣ୍ଡିର ଆରାଧ୍ୟ ଦେବୀ ମା ମାଣିକେଶ୍ୱରୀଙ୍କ ନାଁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ନିଜକୁ ନିର୍ଦ୍ଦୋଶ ବୋଲି ଦାବି କରିଥିଲେ, ସେହି ମାଙ୍କ ନାଁ ନେଇ ମନ୍ତ୍ରୀପଦ ଛାଡିବାକୁ ଦିବ୍ୟଶଙ୍କରଙ୍କୁ ଆହ୍ୱାନ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନତୀ ଶ୍ରୀନିବାସନ । ଦିବ୍ୟଶଙ୍କରଙ୍କ ଇସ୍ତଫା, ସିବିଆଇ ତଦନ୍ତ, ସାକ୍ଷୀଙ୍କୁ ସୁରକ୍ଷା ସହ ପୀଡିତାଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି କରିଛନ୍ତି ବିଜେପି କେନ୍ଦ୍ରୀୟ ଟିମ୍ ।

ଏପଟେ ସମଗ୍ର ରାଜ୍ୟରେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳିଛି । ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ବେଳେ, ଭଦ୍ରକ, ପାରାଦୀପ, ପାଟକୁରା, ଦେବଗଡ ଆଦି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛି ଦଳ । ରାଉରକେଲାରେ ବିକ୍ଷୋଭ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ ।

ମନ୍ତ୍ରୀଙ୍କ ବିବୃତି ପରେ ପୁଣି ଥରେ ବିଜେପି ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି । ବିଜେପି କହିଛି, ଅପରାଧ ସହ ସମ୍ପର୍କ ନଥିଲା ବୋଲି ମନ୍ତ୍ରୀ ସଫେଇ ଦେଉଛନ୍ତି, ହେଲେ ଅପରାଧୀ ସହ ତାଙ୍କର ଘନିଷ୍ଠତା ଥିଲା । ଦିବ୍ୟଶଙ୍କର ସେହି ସ୍କୁଲକୁ ବାରମ୍ବାର ଯାଉଥିଲେ ଓ ଅହେତୁକ ଅନୁକମ୍ପା ଦେଖାଇଥିଲେ । ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପାୱାର କରିଡରକୁ ଆଣିଥିଲେ । ତେଣୁ ଦିବ୍ୟଶଙ୍କର ଗୃହ ବିଭାଗ ମନ୍ତ୍ରୀ ଥିବା ଯାଏଁ ତଦନ୍ତ ନିରପେକ୍ଷ ହେବନି ।

ମମିତା ହତ୍ୟା ଘଟଣା ଏବେ ଜାତୀୟ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି କରିଛି । ଉଭୟ କଂଗ୍ରେସ ଓ ବିଜେପିର ଜାତୀୟ ସ୍ତରର ନେତା ଓଡିଶା ଗସ୍ତରେ ଆସି ବିଜେଡି ସରକାରକୁ ଘେରିବାକୁ ଚେଷ୍ଟା କରୁଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗ ଏବେ ବିରୋଧୀଙ୍କ ପାଇଁ ମୁଖ୍ୟ ଅସ୍ତ୍ର ସାଜିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe