ମମିତା ମେହେର ହତ୍ୟା ମାମଲା : ନବୀନ ନିବାସ ଘେରିବ ବିଜେପି

ରାଜମହଲ ଛକରୁ ବାହାରିବ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଶୋଭାଯାତ୍ରା; ଶିଶୁ ଭବନ ଛକରେ ଅଟକାଇବାକୁ ପୋଲିସର ଯୋଜନା

158

କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ଯେତିକି ପା‌ଖେଇ ଆସୁଛି ରାଜଧାନୀ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ, ଭୁବନେଶ୍ବର ପକ୍ଷରୁ ସୋମବାର ସହରର ତିନୋଟି ସ୍ଥାନରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି । ଆଉ ଏହାର ଜବାବ ଦେବାକୁ ଯାଇ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ବିଜେପି ମଧ୍ୟ ଆଜି ନବୀନ ନିବାସ ଘେରାଉ ଡାକରା ଦେଇଛି ।

ଆନ୍ଦୋଳନ ଲାଗି ଉଭୟ ଦଳ ରଣକୌଶଳ ପ୍ରସ୍ତୁତି କରିଥିବା ବେଳେ କମିସନରେଟ୍‌ ପୁଲିସ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି । ଗୋଟିଏ ଦିନ ଓ ଗୋଟିଏ ସମୟରେ ସହରର ୪ଟି ସ୍ଥାନରେ ଆନ୍ଦୋଳନ ହେବାକୁ ଥିବାରୁ ସହରର ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ୍‌ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ନବୀନ ନିବାସର ସୁରକ୍ଷାକୁ ବି ଆହୁରି ବଢ଼ାଇ ଦିଆଯାଇଛି । ସକାଳ ୧୧ଟାରେ ନବୀନ ନିବାସ ଘେରାଉ କରାଯିବ ।

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ପୂର୍ବାହ୍ନ ୧୦ଟାରେ ରାଜମହଲ ଛକ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଶିଶୁ ଭବନ ଛକ ଦେଇ ନବୀନ ନିବାସ ଆଡ଼କୁ ମୁହାଁଇବ । ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ବି ସାମିଲ ହେବେ । ତାହାକୁ ନଜରରେ ରଖି ଶିଶୁ ଭବନ ଛକରେ ବାରିକେଡ୍‌ କରିବାକୁ ପୁଲିସ ଯୋଜନା କରିଛି। ଆନ୍ଦୋଳନକାରୀ ଯେପରି ଶିଶୁ ଭବନ ଛକ ନ ଡିଅନ୍ତି ତାହା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ପୂର୍ବରୁ ଗୁଇନ୍ଦା ବାରମ୍ବାର ବିଫଳ ହେଉଥିବାରୁ ଏଥର କଡ଼ା ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।