ଜେଲ୍ ଭିତରେ ଟିଭି ଦେଖି ଦିନ କାଟୁଛି ଜହ୍ଲାଦ ଗୋବିନ୍ଦ । ମମିତା ହତ୍ୟାକାଣ୍ଡ ଖବର ଉପରେ ରଖୁଛି ଟିକିନିଖି ନଜର ।

201

କନକ ବ୍ୟୁରୋ : ଜେଲର ଚାରି କାନ୍ଥ ଭିତରେ ଜହ୍ଲାଦ ଗୋବିନ୍ଦ ସାହୁ । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଗୋବିନ୍ଦ ଏତେ ବଡ଼ ଜଘନ୍ୟ କାଣ୍ଡ ଭିଆଇଥିଲେ ବି, ଏଥିପାଇଁ ମନରେ ଟିକିଏ ବି ଅନୁଶୋଚନା ନାହିଁ । କଣ୍ଟାବାଂଜି ଜେଲର ଏକ ନମ୍ବର ସେଲରେ ଏକୁଟିଆ ରହୁଥିବା ଗୋବିନ୍ଦ କିନ୍ତୁ ଗଣମାଧ୍ୟମର ପ୍ରତିଟି ଖବର ଉପରେ ଟିକିନିଖି ନଜର ରଖୁଛି ।

ଜେଲ ଭିତରେ ଟିଭି ଦେଖି ଦିନ କାଟୁଛି ଗୋବିନ୍ଦ । କଣ୍ଟାବାଂଜି ଜେଲରେ ଗୋବିନ୍ଦର ସମୟ କଟୁଛି ଟିଭି ଦେଖାରେ । ଖବରକାଗଜ ପଢ଼ୁନାହିଁ, ଟିଭିରୁ ଦେଖୁଛି ଖବର । ମମିତା ମେହେର ହତ୍ୟାକାଣ୍ଡ ନେଇ କ’ଣ ଖବର ବାହାରୁଛି ତା’ ଉପରେ ରଖୁଛି ଟିକିନିଖି ନଜର ।

ନିଜ କୁକର୍ମ ପାଇଁ ଅନୁତାପ କରୁଛି କି ଗୋବିନ୍ଦ? ମମିତା ମେହେର ହତ୍ୟା ମାମଲା ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିବା ବେଳେ ଜେଲରେ କିନ୍ତୁ ସ୍ୱାଭାବିକ ଆଚରଣ କରୁଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏତେ ବଡ଼ ଜଘନ୍ୟ କାଣ୍ଡ ଘଟାଇଥିଲେ ବି ନା’ ମନରେ ଅଛି ଅନୁଶୋଚନା ନା ଅଛି ପଶ୍ଚାତାପ ।

୧ ନମ୍ବର ସେଲରେ ରହୁଛି ଗୋବିନ୍ଦ । ୩ ନମ୍ବରରେ ସହଯୋଗୀ ରାଧେଶ୍ୟାମ । ମମିତା ମେହେର ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଏହି ଦୁଇ ଜଣ ରହୁଛନ୍ତି କଂଟାବାଂଜି ଜେଲରେ । କଡ଼ା ସୁରକ୍ଷା ବଳୟ ଭିତରେ ସଂଘରୋଧ ସେଲରେ ରହୁଛନ୍ତି । ଅନ୍ୟ କଏଦୀଙ୍କ ଭଳି ସକାଳେ ଖାଉଛନ୍ତି ଜଳଖିଆ, ମଧ୍ୟାହ୍ନରେ ଭାତ, ଡାଲି, ତରକାରୀ ଏବଂ ଡାଇବେଟିସ୍ ଥିବାରୁ ଗୋବିନ୍ଦକୁ ରାତିରେ ଦିଆଯାଉଛି ରୁଟି । ଯେମିତି ମମିତାଙ୍କୁ ନିଜେ ହତ୍ୟା କରିବା ପରେ ତାଙ୍କ ବାପାଙ୍କ ସହ ଏଫଆଇଆର କପି ଲେଖିବାର ଅଭିନୟ କରୁଥିଲା, ସେମିତି ଜେଲ ଭିତରେ ଅତି ନିରୀହ ଲୋକ ଭଳି ଆଚରଣ କରୁଛି ଗୋବିନ୍ଦ ।