ମମିତା ହତ୍ୟା ମାମଲା : ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି; ବଲାଙ୍ଗୀର ଝରନୀରେ ସରଜମିନ ତଦନ୍ତରୁ କ’ଣ ପାଇଲା କେନ୍ଦ୍ରୀୟ ଟିମ

ଆଜି ସାମ୍ବାଦିକ ସମ୍ମିଳନୀ କରି ଦେବ ସୂଚନା; ଗତକାଲି ସ୍ଥିତି ପରଖିଥିଲେ ବିଜେପିର ୩ଜଣିଆ ପ୍ରତିନିଧି

98

କନକ ବ୍ୟୁରୋ : ମମିତା ହତ୍ୟା ମାମଲାରେ ଆକ୍ରମଣାତ୍ମକ ମୁଦ୍ରାରେ ରହିଛି । ଗତକାଲି ବିଜେପିର କେନ୍ଦ୍ରୀୟ ଟିମ ବଲାଙ୍ଗୀର ଝରନୀ ଗାଁକୁ ଯାଇ ତାଙ୍କ ପରିବାରକୁ ଭେଟିବ ସହ ସରଜମିନ ତଦନ୍ତ କରିଛି । ମମିତା ହତ୍ୟା ମାମଲାର ସରଜମିନ ଅନୁଧ୍ୟାନ ପାଇଁ ବଲାଙ୍ଗୀର ଯାଇଥିଲା ବିଜେପିର ତିିନି ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ।

ବିଜେପି ସାଂସଦ ସୁନିତା ଦୁଗଲ, ବିଜେପି ମହିଳା ମୋର୍ଚ୍ଚା ସଭାପତି ଭି. ଶ୍ରୀନିବାସନ୍ ଏବଂ ବିଜେପି ବିଧାୟିକା ରୂପା ମିତ୍ର ଚୌଧୁରୀଙ୍କୁ ନେଇ ତିନି ଜଣିଆ କମିଟି ପ୍ରଥମେ ମମିତାଙ୍କ ପରିବାରକୁ ଭେଟି ଆଲୋଚନା କରିଥିଲେ । ପରେ ମହାଲିଙ୍ଗ ଯାଇ ଯେଉଁଠି ମମିତାଙ୍କ ଶବକୁ ପୋଡି ଦିଆଯାଇଥିଲା ସେଠାରେ ଅନୁଧ୍ୟାନ କରିଥିବା ଜଣାପଡିଛି । ପୁରା ଘଟଣାର ଅନୁଧ୍ୟାନ ପରେ ଏହି ଟିମ୍ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେବ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଜୋରଦାର ହେଉଛି ବିଜେପିର ଆନ୍ଦୋଳନ । ବିଭିନ୍ନ ଜିଲ୍ଲାରେ ବିଜେପି ବନ୍ଦ ପାଳନ କରୁଛି । ଏହି କ୍ରମରେ କେନ୍ଦ୍ରାପଡାରେ ବିଜେପି ବନ୍ଦ ପାଳନ କରିଛି । ସକାଳୁ ସକାଳୁ ପିକେଟିଂ କରୁଛନ୍ତି ବିଜେପି କର୍ମୀ । କଟକ ଚାନ୍ଦବାଲି ରାସ୍ତାର ତିନିମୁହାଣୀ ଠାରେ ରାସ୍ତା ଅବରୋଧ କରିଛନ୍ତି କର୍ମୀ ।

ସେହିପରି ଜଗତସିଂହପୁରେ ବି ବନ୍ଦ ପାଳନ କରୁଛି ବିଜେପି । ମମିତା ମେହେର ହତ୍ୟା ଘଟଣାରେ ଗ୍ୟୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ୧୨ଘଂଟିଆ ବନ୍ଦ ପାଳନ କରୁଛି ଦଳ । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳ ସମେତ ପାରାଦୀପ ଶିଳ୍ପାଂଚଳ ବନ୍ଦ କରାଯାଇଛି ।

ସେପଟେ ବୌଦ୍ଧରେ ବି ୧୨ଘଂଟା ବନ୍ଦ ପାଳନ କରାଯାଇଛି । ଶିକ୍ଷୟତ୍ରୀ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ସକାଳ ୬ଟାରୁ ସଂଧ୍ୟା ୬ଟା ସୁଦ୍ଧା ବୈଦ୍ଧ ଜିଲ୍ଲାରେ ବନ୍ଦ ପାଳନ ଡାକରା ଦେଇଛି ବିଜେପି । ଏହି ସମୟରେ ଅତ୍ୟାବଶ୍ୟକ ଜିନିଷକୁ ଛାଡି ଦେଲେ ଆଉ ସବୁ ବନ୍ଦ ରହିବ ।