ମମିତା ମେହେର ମୃତ୍ୟୁ ମାମଲା : ବିଜେପି ପକ୍ଷରୁ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

87

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ଆଜି କଳାହାଣ୍ଡି ବନ୍ଦ । ବିଜେପି ଏହି ବନ୍ଦ ଡାକରା ଦେଇଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି ବୋଲି ବିଜେପି ଦାବି କରିଛି । ତେଣୁ ଦିବ୍ୟ ଶଙ୍କରଙ୍କର ଇସ୍ତଫା ଦାବି କରିଛି ବିଜେପି । ଏଥିସହ ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦାବି କରିଛି । ଆଜି ବନ୍ଦ ପାଳନ କରିବା ସହିତ ବିଜେପିର ଏକ ୫ ଜଣିଆ ଟିମ୍ ବଲାଙ୍ଗୀର ଏବଂ କଳାହାଣ୍ଡି ଗସ୍ତ କରିବ । ଏହି ସମୟରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ ବିଜେପିର ପ୍ରତିନିଧି ଦଳ ।

ସେପଟେ, ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲା ଭିନ୍ନ ମୋଡ଼ ନେଇଛି । ଗତକାଲି ଏହି ମାମଲାର ଫେରାର ଥିବା ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ପୁଲିସ ଗିରଫ କରିଛି । ସେ ମମିତାଙ୍କୁ ପୋଡ଼ି ମାରିଦେଇଥିବା ସନ୍ଦେହ କରାଯାଉଛି । ପୁଲିସ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ନୋଡାଲ ହାଇସ୍କୁଲ ଷ୍ଟାଡିୟମ ଖୋଳି ମାଟି ତଳୁ ମମିତାଙ୍କ ବ୍ୟାଗ୍‌, ପାଉଁଜି, ଚେନ ଆଦି ଜବତ କରିଛି । ଏହା ସହିତ ମାଟି ତଳୁ ପୋଡ଼ା ଡେକ୍ସବେଞ୍ଚ, ପୋଡ଼ା ଟାୟାର ମଧ୍ୟ ଜବତ କରାଯାଇଛି ।