ପରିବାରକୁ ମିଳିଲା ମମିତାଙ୍କ ଅସ୍ଥି । ବଡ଼ ବାପା କହିଲେ, ପୁଲିସ ଦେଖାଇଥିବା ସାମଗ୍ରୀରୁ ଚିହ୍ନଟ କରିଛୁ ମମିତାଙ୍କ ଜିନିଷ ।

181

କନକ ବ୍ୟୁରୋ: ପରିବାରକୁ ଦିଆଗଲା ମମିତା ମେହେରଙ୍କ ଅସ୍ଥି । ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଖଣ୍ଡଖଣ୍ଡ କରି ହତ୍ୟା କରିବା ପରେ ପୋଡି ପୋତି ଦେଇଥିଲା ଗୋବିନ୍ଦ ପ୍ରଧାନ । ଷ୍ଟାଡିୟମ ପରିସରରୁ ଖୋଳି ମମିତାଙ୍କ ମୃତଦେହ ଉଦ୍ଧାର ବେଳେ ମିଳିଥିଲା କେଇଖଣ୍ଡ ହାଡ ଓ ତାଙ୍କର କିଛି ସାମଗ୍ରୀ । ଯାହା ପୋଲିସ ନିକଟରେ ଥିଲା । ତେଣୁ ହିନ୍ଦୁ ରୀତିନୀତିରେ ଅସ୍ଥି ବିସର୍ଜନ କରିବାକୁ ମମିତାଙ୍କ ହାଡ ଦେବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ ତାଙ୍କ ପରିବାର । ଏବେ ମମିତାଙ୍କ ଏହି ଅସ୍ଥିକୁ ପରିବାକୁ ଦେଇଛି ପୋଲିସ ।

ସେପଟେ ଗତକାଲି ବଲାଙ୍ଗୀର ଏସପି ଅଫିସକୁ ଯାଇ ମମିତାଙ୍କ କିଛି ସାମଗ୍ରୀକୁ ଚିହ୍ନଟ କରିଛନ୍ତି ପରିବାର ଲୋକ । ବିଶେଷ କରି ଗୋବିନ୍ଦର ଘନିଷ୍ଠ ତଥା ଡ୍ରାଇଭର ରାଧେ ଘରୁ ମିଲିଥିବା ଧଳା ବ୍ୟାଗ ଓ ଏଥିରେ ଥିବା ମୋବାଇଲ ଫୋନ, ଚାର୍ଜର ସହିତ ପୋଷାକକୁ ଚିହ୍ନଟ କରିବା ପାଇଁ କହିଥିଲା ପୋଲିସ । ଏହା ଭିତରୁ ମମିତାଙ୍କ ସାମଗ୍ରୀକୁ ଚିହ୍ନିଛନ୍ତି ପରିବାର ଲୋକ । ହେଲେ ସେହି ମୋବାଇଲ ଫୋନକୁ ନେଇ ରହସ୍ୟ ବଢିବାରେ ଲାଗିଛି । କାରଣ ମୋବାଇଲଟି ମମିତାଙ୍କର ନୁହଁ ବୋଲି ଜଣାପଡିଛି । ତାହାହେଲେ ବଡ ପ୍ରଶ୍ନ ହେଉଛି ଏହି ମୋବାଇଲ ଫୋନଟି କାହାର । ଅନୁମାନ କରାଯାଉଛି ଏହି ମୋବାଇଲରେ ଲୁଚି ରହିଛି ବଡ ରହସ୍ୟ । ମୋବାଇଲରେ ଥିବା ତଥ୍ୟକୁ ସାମ୍ନାକୁ ଆଣିଲେ ଅନେକ ଗୁମର ଖୋଲି ପାରିବ ବୋଲି ଅନୁମାନ କରାଯାଉଛି ।