ମମିତା ମେହେର ମୃତ୍ୟୁ ମାମଲାର ସତ କହିବେ ଗୋବିନ୍ଦ ସାହୁ : ବଲାଙ୍ଗୀର ଏସପି ଅଫିସରେ ଡିଆଇଜି, ଏସପିଙ୍କର ଘନ ଘନ ଜେରା

176

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି ପୁଲିସ । ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ବୁଢିପଦର ଗାଁରୁ ସାନଭଉଣୀ ଘର ଆଖୁକିଆରିରୁ ଗୋବିନ୍ଦଙ୍କୁ ଗିରଫ କରିଛି ପୁଲିସ । ଗିରଫ ପରେ ତାଙ୍କୁ ବଲାଙ୍ଗିର ଅଣାଯାଇ ଏସପି ଅଫିସରେ ରଖାଯାଇଛି । ସେଠାରେ ଗୋବିନ୍ଦଙ୍କୁ ଅଧିକ ପଚରାଉଚରା କରାଯାଉଛି । ଡିଆଇଜି ଓ ଏସପିଙ୍କ ସହ କିଛି ବରିଷ୍ଠ ଅଧିକାରୀ ଗୋବିନ୍ଦଙ୍କୁ ପଚରାଉଚରା କରୁଛନ୍ତି । ଥାନାରେ ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ୧୪ ତାରିଖରେ ଗୋବିନ୍ଦଙ୍କୁ ପୁଲିସ ଅଟକ ରଖିଥିଲା । ପ୍ରଥମେ ସିନ୍ଧିକେଲା ଥାନାରେ ତାଙ୍କୁ ଅଟକ ରଖାଯାଇଛି ।

ପରେ ଅଧିକ ତଦନ୍ତ ପାଇଁ ଟିଟିଲାଗଡ ଥାନାକୁ ଅଣାଯାଇଥିଲ।। ଗତ ୧୭ ତାରିଖ ରାତିରେ ପୁଲିସ ହେପାଜତରୁ ଖସି ସେ ଯାଇଥିଲେ । ଏହି ସମୟରେ ସହରରେ ପାୱାରକଟ୍ ହୋଇଥିଲା । ତାଙ୍କ ଫେରାର ହେବା ପଛରେ ପୁଲିସକୁ ଦାୟୀ କରିଛନ୍ତି ଦକ୍ଷିଣ ଉତରାଚଂଳ ଡିଆଇଜି ଦୀପକ କୁମାର । ପୁଲିସର ଅବହେଳା ଓ ଦାୟିତ୍ୱହିନତା ଗୋବିନ୍ଦ ଫେରାର ହୋଇଯାଇଥିଲେ । କେଉଁ ପରିସ୍ଥିତିରେ ସେ ଥାନାରୁ ଫେରାର ହୋଇଗଲେ, ତାକୁ ନେଇ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୋବିନ୍ଦ ଫେରାର ହେବା ପଛରେ କାହାର ସଂପୃକ୍ତି ରହିଛି ସେ ସଂପର୍କରେ ତଦନ୍ତ ଜାରି ରହିଥିବା ଉତରାଂଚଳ ଡିଆଇଜି କହିଛନ୍ତି ।

ମଂଗଳବାର ସକାଳୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପୁଲିସ ଟିମ ମହାଲିଙ୍ଗ ଗାଁ ହାଇସ୍କୁଲ ଷ୍ଟାଡିୟମରେ ମମିତାଙ୍କ ଶବ ଖୋଜିଥିଲେ। ଗୋବିନ୍ଦଙ୍କ ସହଯୋଗୀ ତଥା ତାଙ୍କ ଜେସିବି ଅପରେଟର ପୁଷ୍କର କେଉଁଠି ମମିତାଙ୍କୁ ପୋଡ଼ି ପୋତାଯାଇଥିଲା ତାହା ଦେଖାଇଥିଲା । ପୁଲିସ ସେହି ସ୍ଥାନରେ ଜେସିବି ଲଗାଇ ମାଟି ଖୋଳିଥିଲା । ଚାରିରୁ ପାଞ୍ଚ ଫୁଟ ମାଟି ଖୋଳିବା ପରେ ବାହାରିଥିଲା ପୋଡା ପ୍ଲାଏଉଡ୍‌। ଯାହାକି ଭଙ୍ଗା ଡେସ୍କବେଞ୍ଚର ବୋଲି ଜଣାପଡ଼ିଥିଲା । ଏହାସହ ସେଠାରୁ ଏକ ପୋଡା ଟାୟାର ମଧ୍ୟ ବାହାରିଥିଲା । ଏହାପରେ ମାଟି ଭିତରେ ଖୋଜାଖୋଜି କରିବା ପରେ ପାଉଁଜି, ଚେନ ଓ ଏକ ବ୍ୟାଗ ପୁଲିସ ଜବତ କରିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହା ସବୁ ଜବତ ହୋଇଥିଲା ।

ମମିତାଙ୍କ ପରିବାରରୁ ତାଙ୍କ ସଂପର୍କୀୟ ବଡ଼ବାପା ଓ ଭାଇ ଆସିଥିଲେ। ତେବେ ପୁଲିସ ଡାକିନଥିଲା ଓ ସେମାନେ ନିଜ ପଟରୁ ଆସିଥିବା ଗଣମାଧ୍ୟମ ଆଗରେ କହି ପୁଲିସ ଉପରେ ଖୁବ୍ ବର୍ଷିଥିଲେ । ଏହାପରେ ସେମାନେ କେଗାଁ ଥାନାକୁ ଯାଇଥିଲେ । ସେଠାରେ ସାଇଣ୍ଟିଫିକ ଟିମ ଜବତ ସାମଗ୍ରୀ ସବୁ ସେମାନଙ୍କୁ ଦେଖାଇଥିଲେ । ପୁଲିସ ଡିଏସ୍‌ପି ବଟକୃଷ୍ଣ ମିଶ୍ରଙ୍କ କହିବାନୁସାରେ, ମମିତାଙ୍କ ବଡ଼ବାପା ଓ ସଂପର୍କୀୟ ଜବତ ସାମଗ୍ରୀ ସବୁକୁ ଚିହ୍ନଟ କରିବା ସହ ସେସବୁ ମମିତାଙ୍କର ବୋଲି କହିଛନ୍ତି । ଡିଏସ୍‌ପିଙ୍କ ଏହି ବୟାନ ପରେ ମମିତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଫେରାର ଥିବା ଗୋବିନ୍ଦଙ୍କୁ ଖୋଜିବାକୁ ପୁଲିସ ୪ଟି ଟିମ୍‌ ଗଠନ କରିଥିଲା। ଚାରିଆଡ଼େ ପୁଲିସ ଟିମ୍‌ ଚଢଉ ଜାରି ରଖିଥିଲା । ଶେଷରେ ଗୋବିନ୍ଦକୁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଢୀପଦର ଗାଁର ଏକ ଆଖୁକିଆରରୁ ଗିରଫ କରିଥିଲା । ଗ୍ରାମବାସୀଙ୍କ କହିବାନୁସାରେ, ଗୋବିନ୍ଦ ଆଖୁବାଡ଼ିରେ ଲୁଚିଥିଲା। ସେଠାରେ ପୁଲିସ ଟିମ ପହଞ୍ଚି ଗୋବିନ୍ଦଙ୍କୁ ଧରିଥିଲା। ମମିତା ହତ୍ୟାରେ ଏକା ଗୋବିନ୍ଦ ନାଁ ଆଉ କିଏ କିଏ ସାମିଲ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଗୋବିନ୍ଦ ଫେରାର ହେବା ପରେ ଡିଆଇଜିଙ୍କ ତତ୍ତ୍ବାବଧାନରେ ତଦନ୍ତ ଆଗେଇଥିଲା । ଗୋବିନ୍ଦଙ୍କ ଡ୍ରାଇଭର ସହ ଜେସିବି ଅପରେଟର ପାଖରୁ ପୁଲିସ ତଥ୍ୟ ହାସଲ କରିଥିଲା । କଲେଜର କର୍ମଚାରୀମାନଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଥିଲା । ଗୋବିନ୍ଦଙ୍କ ସହ ଯେତେ ଜଣ ସବୁ ସମୟରେ ରହି କାମ କରୁଥିଲେ ସମସ୍ତଙ୍କୁ ପୁଲିସ ପଚରାଉଚରା ପରେ ଷ୍ଟାଡିୟମର ଠିକଣା ପାଇଥିଲା । ଏହାପରେ ପୁଲିସର ତଦନ୍ତ ସେଇଠୁ ଆଗେଇଥିଲା।

ବର୍ତ୍ତମାନ ପାରିପାର୍ଶ୍ବିକ ସ୍ଥିତି ଦେଖିଲେ ମମିତାଙ୍କୁ ହତ୍ୟା ପରେ ପୋଡ଼ି ପୋତି ଦିଆଯାଇଥିବା ଜଣାପଡ଼ିଛି । ଆଉ ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ସାମ୍ନାକୁ ଆସିସାରିଲାଣି । ଗୋଟିଏ ହେଉଛି ଜେସିବି ଅପରେଟର ଓ ଅନ୍ୟଟି ରାଧେ ନାମକ ଜଣେ ବ୍ୟକ୍ତି । ଉଭୟ ଅଟକ ଅଛନ୍ତି । ଏବେ ଗୋବିନ୍ଦ ଧରାପଡ଼ିବା ପରେ ପୁଲିସ କିଏ କିଏ ଏହି ହତ୍ୟାକାଣ୍ଡରେ ସାମିଲ ଥିଲେ ସେ ନେଇ ପଚରାଉଚୁରା କରିବା ସହ କଣ ସବୁ ଯୋଜନା ହୋଇଥିଲା ତାର ପର୍ଦ୍ଦାଫାସ କରିବ ।