ମମିତା ମେହେର ମୃତ୍ୟୁ ମାମଲା: କ୍ୟାପିଟାଲ ଥାନା ଭିତରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚା କର୍ମୀ । ଟେବୁଲ ବାଡେଇ କଲେ ପ୍ରତିବାଦ ।

220

କନକ ବ୍ୟୁରୋ: ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ । ଗୋଟିଏ ପଟେ ବିରୋଧୀ ଏହି ଘଟଣାରେ ଶାସକ ଦଳକୁ ଘେରୁଥିବାବେଳେ, ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଆଉ ଏହାରି ଭିତରେ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଆଜି ଦେଖିବାକୁ ମିଳିଛି ଅଭାବନୀୟ ସ୍ଥିତି । ମନ୍ତ୍ରୀଙ୍କ ନାଁରେ ଏଫଆଇଆର୍ ଦେବାକୁ ଆସିଥିବା ବିଜେପି ମହିଳା ମୋର୍ଚ୍ଚାର କର୍ମୀ ମାନେ ଥାନା ଭିତରେ ଧସେଇ ପଶିବା ସହିତ ସେଠାରେ ହଙ୍ଗାମା କରିଛନ୍ତି ।

ଥାନା ଭିତରେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ପ୍ରଥମେ ଧସେଇ ପଶିଥିଲେ । ଏହାପରେ ସେଠାରେ ଟେବୁଲ ବାଡେଇ ସେମାନେ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ତେବେ ବିଜେପି ନେତା ଲେଖାଶ୍ରୀ ସାମନ୍ତସିଂହାରଙ୍କ କହିବା ମୁତାବକ, ଏହି ଘଟଣାର ମାଷ୍ଟର ମାଇଣ୍ଡକୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ । ମନ୍ତ୍ରୀ ପଦରେ ରହିଲେ ଏହାର ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି । ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ, ତେବେ ଏହି ଘଟଣାରେ ତାଙ୍କ ନାଁ କାହିଁକି ଆସୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଛି ବୋଲି ସ୍ୱୀକାର କରିଛି । ହେଲେ ଏହା ପଛରେ ଅନ୍ୟ ଜଣକର ମାଷ୍ଟର ମାଇଣ୍ଡ ଥିବା ବିରୋଧୀ ଦାବି କରୁଛନ୍ତି । ମନ୍ତ୍ରୀ କାହିଁକି ସେହି ସ୍କୁଲକୁ ବାରମ୍ବାର ଯାଉଥିଲେ? ଗୁପ୍ତ କୋଠରୀ ଭିତରେ କଣ ହେଉଥିଲା ବୋଲି ବିରୋଧୀ ପ୍ରଶ୍ନ କରୁଥିଲେ । ଆଉ ଏହାରି ଭିତରେ କ୍ୟାପିଟାଲ ଥାନା ଭିତରେ ପଶି ହୋ ହଲ୍ଲା କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ଅନ୍ୟପଟେ କଳାହାଣ୍ଡିରେ ମଧ୍ୟ ଗର୍ଜିଛି କଂଗ୍ରେସ । ଗୃହ ରାଜ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦଳ ଜିଲ୍ଲାପାଳ ଅଫିସର ଘେରାଉ କରିଛି । ଏହାସହ ମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନ ଉପରେ ଅଣ୍ଡା ଓ ଟୋମାଟୋ ମାଡ କରିଛି ଯୁବ କଂଗ୍ରେସ । ତେବେ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଇ କଂଗ୍ରେସ କର୍ମୀଙ୍କୁ ତଡିବାରୁ ସ୍ଥିତି ସାମାନ୍ୟ ହୋଇଥିବା ସୂଚନା ମିଳିଛି ।