ମମିତା ମୃତ୍ୟୁ ମାମଲା : କଳାହାଣ୍ଡି ଏସପିଙ୍କୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ରିପୋର୍ଟ ତଲବ

୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ; କହିଲେ ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ବି ନିଆଯିବ କାର୍ଯ୍ୟାନୁଷ୍ଠାନ

281

କନକ ବ୍ୟୁରୋ : ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛି । ଆଖି ତରାଟି ଦେଲା ପରି ସାଂଘାତିକ ଅପରାଧ ରଚିଛି ଗୋବିନ୍ଦ । ଏପରି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣାରେ ଛନ୍ଦି ହୋଇପଡ଼ିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅନ୍ୟପଟେ ମହିଳା କମିଶନ ପକ୍ଷରୁ କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ତଲବ କରାଯାଇଛି । ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି ଯେ କଳାହାଣ୍ଡି ଏସପିଙ୍କୁ ରିପୋର୍ଟ ମଗାଯାଇଛି ଓ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ଆଖିରେ ସମସ୍ତେ ସମାନ । ପ୍ରଭାବଶାଳୀ ବ୍ୟକ୍ତି ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ।

ସେହିପରି ଭବାନୀପାଟଣାରେ ଆଜି କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ କରାଯାଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ ହୋଇଛି । ଅନ୍ୟପଟେ ମମିତା ମେହେର ମୃତ୍ୟୁ ମାମଲାରେ ରାଜରାସ୍ତାକୁ ଓହ୍ଲାଇଛି ଯୁବ କଂଗ୍ରେସ । ନବୀନ ନିବାସ ସମ୍ମୁଖରେ ଯୁବ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳାପତାକା ଦେଖାଇଥିଲେ । ଘଟଣାରେ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କୁ ଏୟାରପୋର୍ଟ ଥାନାରେ ଅଟକ ରଖିଛି ପୁଲିସ । ମମିତା ମେହେର ମୃତ୍ୟୁ ମାମଲାରେ ଆଜି ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ ପାଳନ କରାଯାଉଛି ।

ବନ୍ଦ ପାଇଁ ଗାଡ଼ି ଚଳାଚଳ ଠପ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହିଛି ବୋଲି ବିଜେପି ଦାବି କରିଛି । ତେଣୁ ଦିବ୍ୟ ଶଙ୍କରଙ୍କର ଇସ୍ତଫା ଦାବି କରିଛି ବିଜେପି । ଏଥିସହ ତାଙ୍କୁ ଏହି ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦାବି କରିଛନ୍ତି । ବନ୍ଦ ପାଳନ କରିବା ସହିତ ବିଜେପିର ଏକ ୫ ଜଣିଆ ଟିମ୍ ଆଜି ବଲାଙ୍ଗୀର ଏବଂ କଳାହାଣ୍ଡି ଗସ୍ତ କରିବ । ଏହି ସମୟରେ ମମିତାଙ୍କ ପରିବାର ଲୋକଙ୍କୁ ଭେଟିବ ବିଜେପିର ପ୍ରତିନିଧି ଦଳ ।