ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି : ସମସ୍ତ ଏସପି ଅଫିସ ଘେରିବ ବିଜେପି ଯୁବ ମୋର୍ଚ୍ଚା

ମମିତା ମେହେରଙ୍କ ପରିବାରକୁ ଭେଟିବ ବିଜେପି ପ୍ରତିନିଧି ଦଳ; ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

123

କନକ ବ୍ୟୁରୋ : ମମିତା ମୃତ୍ୟୁ ମାମଲାକୁ ନେଇ ତେଜୁଛି ଆନ୍ଦୋଳନ ଓ ପ୍ରତିବାଦ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମୁଖ୍ୟ ସହଯୋଗୀ ରାଧେଶ୍ୟାମକୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କର ସମ୍ପର୍କ ଅତି ଘନିଷ୍ଠ ହୋଇଥିବାରୁ ମନ୍ତ୍ରୀ ପଦରେ ରହିଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କହି ଆସୁଛନ୍ତି ବିରୋଧୀ ।

ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ଥିବାରୁ ତାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରାଯିବ । । ଯେପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର ଓ ଗିରଫ କରାଯାଇ ନାହିଁ ବିଜେପି ଯୁବମୋର୍ଚ୍ଚା ତାର ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି । ମମିତାଙ୍କ ପରିବାର ଲୋକଙ୍କ ଦାବି ସତ୍ୱେ ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା ।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜ୍ୟ ସରକାର ଓ ଶାସକ ଦଳ ଦୋଷୀକୁ ଘଣ୍ଟ ଘୋଡ଼ାଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ । ଏହି ଘଟଣା ନୂଆ ନୁହେଁ । ମାଧବୀଲତା, ଇତିଶ୍ରୀ, ବେବିନା, କୁନ୍ଦୁଲି ପୀଡ଼ିତା, ପରୀ, ସ୍ମିତାରାଣୀ, ମାହଙ୍ଗା ଡବଲ୍‌ ମର୍ଡର, ‌ସୌମ୍ୟରଞ୍ଜନ ଭଳି ହତ୍ୟାକାଣ୍ଡରେ ପୁଲିସ ଯେପରି ଶାସକ ବିଜେଡି ଚାପରେ କେସ୍‌ରେ ଅବହେଳା କଲା ତାହା ଏଠାରେ ବି ଦେଖିବାକୁ ମିଳିଛି । ଲୋକଦେଖାଣିଆ ଭାବେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇ ମନ୍ତ୍ରୀଙ୍କୁ ଖସାଇଦେବାର ଚକ୍ରାନ୍ତ କରାଯାଉଛି ।

ମୃତ ଶିକ୍ଷୟିତ୍ରୀ ମମିତା ଦୀର୍ଘ ୭ମାସ ଧରି ଛୁଟିରେ ଘରେ ଥିଲେ ହେଁ ତାଙ୍କୁ ଅଭିଯୁକ୍ତ ଗୋବିନ୍ଦ ସାହୁ ଚକ୍ରାନ୍ତ କରି ଘରୁ ଡାକିଥିଲା ବୋଲି ପୁଲିସ ନିଜେ ପ୍ରକାଶ କରିଛି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାରବାରରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତି ସମ୍ପର୍କରେ ମମିତାଙ୍କ ପିତା‌ମାତାଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ବେ ମାଜିଷ୍ଟ୍ରେଟଙ୍କ ଆଗରେ କାହିଁକି ବୟାନ ରେକର୍ଡ କରାଯାଇନାହିଁ ? ପୁଲିସକୁ ହାତବାରିସୀ କରି ବିଜେଡି ଏଭଳି ଜଘନ୍ୟ ଓ ବର୍ବରୋଚିତ ହତ୍ୟାକାଣ୍ଡକୁ ଦିଗହରା କରିବା ପାଇଁ ଷଡଯନ୍ତ୍ର କରୁଛି ।