ମମିତା ମେହେର ମୃତ୍ୟୁ ମାମଲା : ଆଉ ଜଣେ ଅଭିଯୁକ୍ତକୁ ଅଟକ ରଖିଲା ପୁଲିସ୍

76

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ମାମଲାରେ ଗୋବିନ୍ଦ ସାହୁଙ୍କ ସହଯୋଗୀକୁ ଅଟକ ରଖିଛି ପୁଲିସ । ମୃତଦେହ ପୋତିବାରେ ସେ ସହଯୋଗ କରିଥିବା ସୂଚନା ରହିଛି । ଅଧିକ ତଥ୍ୟ ସଂଗ୍ରହ ପାଇଁ ଗୋବିନ୍ଦଙ୍କ ସହଯୋଗୀକୁ ପୁଲିସ ପଚରାଉଚରା କରୁଛି । କଳାହାଣ୍ଡି ମହାଲିଙ୍ଗ ନୋଡାଲ ହାଇସ୍କୁଲ ଷ୍ଟାଡ଼ିୟମ ଖୋଳି ମାଟି ତଳୁ ମମିତାଙ୍କ ବ୍ୟାଗ୍, ପାଉଂଜି, ଚେନ୍ ଆଦିକୁ ଜବତ କରିଛି । ଏହା ସହ ମାଟି ତଳୁ ପୋଡ଼ା ଡେକ୍ସବେଂଚ, ପୋଡା ଟାୟାର ମଧ୍ୟ ଜବତ କରାଯାଇଛି । ଏସବୁର ଡିଏନଏ ଟେଷ୍ଟ ପାଇଁ ସାଇଂଟିଫିକ୍ ଟିମ୍ ନମୁନା ସଂଗ୍ରହ କରିଛି । ଆଜି ପୁଲିସ ରକ୍ତ ନମୁନା ସଂଗ୍ରହ ପାଇଁ ମମିତାଙ୍କ ଘରକୁ ଯାଇପାରେ ।

ସେପଟେ, ମୁଖ୍ୟ ଅଭିଯୁକ୍ତ ଗିରଫ ଗୋବିନ୍ଦ ସାହୁଙ୍କୁ ବିଳମ୍ବିତ ରାତି ଯାଏଁ ଜେରା କରିଛି ପୁଲିସ । ବଲାଙ୍ଗୀର ଏସପି ଅଫିସରେ ଡିଆଇଜି ଓ ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘନ ଘନ ଜେରା କରିଛନ୍ତି । ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ବୁଢିପଦର ଗାଁରୁ ସାନଭଉଣୀ ଘର ଆଖୁକିଆରିରୁ ଗୋବିନ୍ଦଙ୍କୁ ଗିରଫ କରିଛି ପୁଲିସ । ଥାନାରେ ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ୧୪ ତାରିଖରେ ଗୋବିନ୍ଦଙ୍କୁ ପୁଲିସ ଅଟକ ରଖିଥିଲା । ପ୍ରଥମେ ସିନ୍ଧିକେଲା ଥାନାରେ ତାଙ୍କୁ ଅଟକ ରଖାଯାଇଛି । ପରେ ଅଧିକ ତଦନ୍ତ ପାଇଁ ଟିଟିଲାଗଡ ଥାନାକୁ ଅଣାଯାଇଥିଲ। ।

ଗତ ୧୭ ତାରିଖ ରାତିରେ ପୁଲିସ ହେପାଜତରୁ ଖସି ସେ ଯାଇଥିଲେ । ଏହି ସମୟରେ ସହରରେ ପାୱାରକଟ୍ ହୋଇଥିଲା । ତାଙ୍କ ଫେରାର ହେବା ପଛରେ ପୁଲିସକୁ ଦାୟୀ କରିଛନ୍ତି ଦକ୍ଷିଣ ଉତରାଂଚଳ ଡିଆଇଜି ଦୀପକ କୁମାର । ପୁଲିସର ଅବହେଳା ଓ ଦାୟିତ୍ୱହିନତା ଗୋବିନ୍ଦ ଫେରାର ହୋଇଯାଇଥିଲେ । କେଉଁ ପରିସ୍ଥିତିରେ ସେ ଥାନାରୁ ଫେରାର ହୋଇଗଲେ, ତାକୁ ନେଇ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗୋବିନ୍ଦ ଫେରାର ହେବା ପଛରେ କାହାର ସଂପୃକ୍ତି ରହିଛି ସେ ସଂପର୍କରେ ତଦନ୍ତ ଜାରି ରହିଥିବା ଉତରାଂଚଳ ଡିଆଇଜି କହିଛନ୍ତି ।