ଗୋବିନ୍ଦ ସାହୁଙ୍କୁ ଆଜି କଳାହାଣ୍ଡି ନେବ ପୁଲିସ : ମମିତାଙ୍କୁ କେମିତି ପୋଡିଲେ, କେମିତି ପୋତିଦେଲେ ଡେମୋ ଦେଖାଇବ ଅଭିଯୁକ୍ତ

୫ ଦିନିଆ ରିମାଣ୍ଡ ଅବଧିରେ ହତ୍ୟାକାଣ୍ଡର ଗୁମର ଖୋଲିବାକୁ ଚେଷ୍ଟା କରିବ ବଲାଙ୍ଗିର ପୁଲିସ

194

କନକ ବ୍ୟୁରୋ : ଆଜିି ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଘଟଣାସ୍ଥଳକୁ ଆଣିବ ପୁଲିସ । ସ୍କୁଲର ଷ୍ଟାଡିୟମ ଭିତରେ ମମିତା ମେହେରଙ୍କୁ କିଭଳି ପୋଡି ଦିଆଯାଇଥିଲା ଏବଂ ପୋତା ଯାଇଥିଲା ତା’ର ସିନରିକ୍ରିଏସନ କରାଇବ ପୁଲିସ । ଗୋବିନ୍ଦ ସାହୁଙ୍କୁ ଏବେ ୫ ଦିନିଆ ରିମାଣ୍ଡରେ ନେଇଛି ବଲାଙ୍ଗିର ପୁଲିସ । ମମିତାଙ୍କ ହତ୍ୟା ଘଟଣାରେ ଆଉ କିଏ କିଏ ସଂପୃକ୍ତ ସେନେଇ ଅଧିକ ଖୋଳତାଡ କରିବ ପୁଲିସ ।

ମମିତାଙ୍କ ମୃତ ଦେହକୁ ପୋତିବାରେ ଆଉ କିଏ କିଏ ସହାୟତା କରିଥିଲେ ? ମମିତାଙ୍କୁ କାହିଁକି ଓ କେମିତି ହତ୍ୟା କରିଥିଲା ? ହତ୍ୟା ପାଇଁ ପୂର୍ବରୁ ଯୋଜନା କରିଥିବା ବେଳେ ଏଥିରେ ଗୋବିନ୍ଦଙ୍କୁ କେଉଁମାନେ ସହାୟତା କରିଥିଲେ ? ମମିତାଙ୍କ ପାଖରେ ଏମିତି କଣ ପ୍ରମାଣ ରହିଥିଲା, ଯେଉଁଥି ପାଇଁ ମମିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ପଡିଲା ? ମମିତାଙ୍କୁ କାହିଁକି ବଡ ବିପଦ ବୋଲି ଭାବୁଥିଲା ଅଭିଯୁକ୍ତ ? ପୁଲିସ ହେପାଜତରେ ଥିବା ବେଳେ କେମିତି ଫେରାର ହୋଇଗଲା? ଫେରାର ହେବା ପରେ ଲୁଚିବାରେ ତାକୁ କେଉଁମାନେ ସହାୟତା କରିଥିଲେ ? ୫ ଦିନିଆ ରିମାଣ୍ଡ ଅବଧିରେ ଏସବୁ ପ୍ରଶ୍ନର ଉତର ଖୋଜିବାକୁ ପୁଲିସ ଚେଷ୍ଟା କରିବ ।

ବୁଧବାର ଦିନ ବଲାଙ୍ଗୀର ଏସ୍‌ପି ଅଫିସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଡ. ଦୀପକ କୁମାର କହିଛନ୍ତି, ବୈଠକ ବାହାନାରେ ମମିତାଙ୍କୁ ଡାକି ନିଜ କାର୍‌ରେ ଗୋବିନ୍ଦ ଭବାନୀପାଟଣା ନେଇଥିଲା । ସେଠାରେ ବୁଲାଇବା ସହ କେଗାଁ ଫେରିବା ରାସ୍ତାରେ ୱାଗନର୍‌ କାର୍‌ ଭିତରେ ହତ୍ୟା କରିଥିଲା। ହତ୍ୟା ପରେ ପୂର୍ବ ଯୋଜନା ମୁତାବକ ମହାଲିଙ୍ଗ ହାଇସ୍କୁଲ ମିନିଷ୍ଟାଡିୟମରେ ଖୋଳାଯାଇଥିବା ଗାତରେ ମମିତାଙ୍କ ଶବକୁ ପକାଇ କାଠବୋର୍ଡ, ଟାୟାରରେ ଜାଳିଦେଇଥିଲା । ଶବ ଜଳିପୋଡ଼ି ପାଉଁଶ ହେବାପରେ ଗାତକୁ ପୋତି ଦିଆଯାଇଥିଲା । ଏହା ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ । ଏଭଳି କାଣ୍ଡ ଘଟାଇବା ପଛରେ ମୁଖ୍ୟ କାରଣ ଥିଲା ଅନୈତିକ ସଂପର୍କ । ଗୋବିନ୍ଦଙ୍କ ଅନୈତିକ ସଂପର୍କର ପୂରା ପ୍ରମାଣ ରଖିଥିଲେ ମମିତା । ଏହି ପ୍ରମାଣ ନଷ୍ଟ କରିବା ସହ ମମିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ଯୋଜନା କରିଥିଲା ।

ସେ କହିଲେ ଯେ ମମିତାଙ୍କ ପରିବାରବର୍ଗ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ । ସ୍କୁଲ ମାଲିକ ଅପହରଣ କରିନେଇଥିବା ସଂପର୍କରେ ଅଭିଯୋଗ ହୋଇଥିଲା । ସେହି ଆଧାରରେ ତଦନ୍ତକୁ ଆଗେଇ ନେଇଥିଲା ପୁଲିସ । ଯେତେ ତଥ୍ୟ ମିଳିଥିଲା ପୁଲିସ ଟିମ୍‌ ତାହାକୁ ନେଇ ତଦନ୍ତ ଚଳାଇଥିଲା। ଯେଉଁଠାରୁ ଅପହରଣ ହୋଇଛି ବୋଲି ଏତଲା ଦିଆଯାଇଥିଲା, ସେଠାରୁ ଭବାନୀପାଟଣା ଯାଏ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା । ସିସିଟିଭିରୁ କିଛି ତଥ୍ୟ ହାସଲ ହୋଇଥିଲା । ତଦନ୍ତ ସମୟରେ ସାଇଣ୍ଟିଫିକ୍‌ ଓ ଟେକ୍‌ନିକାଲ ପ୍ରମାଣ ଯାହା ମିଳିଥିଲା, ସେଥିରେ ଗୋବିନ୍ଦ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା । ଏହାସହ ଅଭିଯୁକ୍ତ ଗୋବିନ୍ଦ ସବୁ କଥା ପୁଲିସ ଆଗରେ ସ୍ୱୀକାର କରିଥିବା ମଧ୍ୟ ସେ କହିଛନ୍ତି । ତେବେ ତଦନ୍ତ ଜାରି ରହିଥିବାରୁ କ’ଣ ସବୁ ପ୍ରମାଣ ପୁଲିସ ପାଇଛି, ତାହା ଉପରେ ସୂଚନା ଦିଆଯାଇନାହିଁ ।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ସ୍କୁଲରେ ସେକ୍ସ ସ୍କାଣ୍ଡାଲ ଏବଂ ବଡ଼ ବଡ଼ ମନ୍ତ୍ରୀଙ୍କ ଯିବାଆସିବା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଡିଆଇଜି ଏହାକୁ ଏଡ଼ାଇ ଯାଇଥିଲେ । ଅପରାଧକୁ ନେଇ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା ଡିଆଇଜି କହିଥିଲେ । ତଦନ୍ତ ଜାରି ରହିଛି ଓ ଜଣେ ଡ୍ରାଇଭର ଅଟକ ଥିବା ଡିଆଇଜି କହିଥିଲେ। ରିମାଣ୍ଡରେ ଗୋବିନ୍ଦ ଆସିବା ପରେ କ୍ରାଇମ ରିକ୍ରିଏସନ୍‌ କରାଯିବ ଏବଂ ଆଉ କେଉଁମାନେ ସବୁ ଏହି ମାମଲାରେ ସଂପୃକ୍ତ ଆଗକୁ ତଦନ୍ତରେ ସବୁ ଜଣାପଡ଼ିବ ବୋଲି ସେ କହିଥିଲେ ।