ନିଖୋଜ୍ ହେବା ପୂର୍ବରୁ ଗୋବିନ୍ଦଙ୍କ ଗାଡିରେ ଯାଇଥିଲେ ମମିତା । ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ୍ …

272

କନକ ବ୍ୟୁରୋ: ନିଖୋଜ ହେବା ପୂର୍ବରୁ ଗୋବିନ୍ଦଙ୍କ ଗାଡିରେ ଯାଇଥିଲେ ମମିତା ମେହେର । ଅଧା ବାଟରୁ ଆସି ମମିତାଙ୍କୁ ତାଙ୍କ ସ୍କୁଲ ମାଲିକ ଗାଡିରେ ନେଇଯାଇଥିଲା । ଯାହାର ସିସିଟିଭି ଭିଜୁଆଲ୍ ଏବେ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ, ଗୋବିନ୍ଦଙ୍କ ଗାଡିରେ ଯାଉଥିବା ନେଇ ମମିତା ତାଙ୍କ ମାଙ୍କୁ ଫୋନ୍ କରି ସୂଚନା ଦେଇଥିବା ଏବେ ଖବର ମିଳିଛି ।

ତେବେ ଗାଡିରେ ଯିବା ପରେ ମମିତା ସକାଳ ୯ଟା ୫୦ରେ ହଷ୍ଟେଲରେ ପହଞ୍ଚିଥିଲେ । ଯାହା ସେ ତାଙ୍କ ମାଙ୍କୁ ଫୋନ୍ କରି କହିଥିଲେ । ହେଲେ ଏହାପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ମିଳିନଥିଲା । ଏହାପରଠାରୁ ସେ ଅଚାନକ ନିଖୋଜ୍ ହୋଇଯାଇଥିଲେ ବୋଲି ସୂଚନା ମିଳିଛି । ତେବେ ଶେଷ ଥର ପାଇଁ ସେ ଗୋବିନ୍ଦଙ୍କ ଗାଡିରେ ଯାଇଥିବା ନେଇ ଏବେ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସିଛି ।

ଅନ୍ୟପଟେ ଲକଡାଉନ ପରେ ମମିତା ଚାକିରି ଛାଡିବା ଖବର ମଧ୍ୟ ସାମ୍ନାକୁ ଆସିଛି । ସ୍କୁଲରେ ଚାକିରି କରିବାକୁ ସେ ମନା କରିଦେଇଥିବା ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି । ତେବେ ସମ୍ଭବତଃ ସେହି ସ୍କୁଲରେ ଅନୈତିକ କାମ ଚାଲିଥିବା ନେଇ ମମିତା ସୂଚନା ପାଇବା ପରେ ଏପରି କହିଥିବା କୁହାଯାଉଛି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି କେଗାଁ ଥାନା ମହାଲିଙ୍ଗରେ ଥିବା ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କୁ ସ୍କୁଲକୁ ଡାକିଥିବାବେଳେ, ସେ ସ୍କୁଲ ଯିବା ବାଟରେ ହିଁ ନିଖୋଜ ହୋଇଯାଇଥିଲେ । ଏହାପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଏହି ଘଟଣାରେ ଉଠାଇ ଆଣିଥିଲେ ବି ସେ ପୋଲିସ ହେପାଜତରୁ ଫେରାର୍ ହୋଇଥିଲେ । ଆଉ ଏବେ ଏହି ଘଟଣାରେ ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହ ମମିତାଙ୍କର ନା ଆଉ କାହାର, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।