ଥମୁନି ମମିତା ମାମଲା । ଦିବ୍ୟଶଙ୍କର ବହିଷ୍କାର ଦାବିରେ ପ୍ରତିବାଦ ଜାରି । ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ

85

କନକ ବ୍ୟୁରୋ: ମମିତା ମେହେର ହତ୍ୟା ମାମଲାରେ ଥମୁନି ବିବାଦ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ଏହି କ୍ରମରେ ଆଜି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ି ଉପରେ ହୋଇଛି ଅଣ୍ଡାମାଡ଼ । ତା ସହିତ ସାମ୍ବାଦିକ ସମ୍ମିଳନୀ କରି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମଞ୍ଚରେ ବସାଇବା ପରେ ମମିତା ହତ୍ୟା ମାମଲାରେ ବିରୋଧୀଙ୍କ ପ୍ରତିବାଦ ତୀବ୍ର ହୋଇଛି । ବିରୋଧୀମାନେ ନିଜର ବିକ୍ଷୋଭ ଜାରି ରଖିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ବାଲେଶ୍ୱର ମ୍ୟୁନସିପାଲିଟି କାର୍ଯ୍ୟାଳୟ ଘେରାଉ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା । ଶତାଧିକ ବିଜେପି କର୍ମୀ ଶୋଭଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଅନ୍ୟପଟେ ସରକାର ବିରୋଧୀଙ୍କ କଥାକୁ ବେଖାତିର କରି ଚାଲିଥିବା ଅଭିଯୋଗ ଆଣି, ରାଜ୍ୟ କ୍ୟାବିନେଟର ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଜାରି ରଖିଛନ୍ତି ବିରୋଧୀ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନୂଆପଡା ଗସ୍ତରେ ଯାଇଥିବାବେଳେ କଳାପତାକା ଦେଖାଇବା ସହ ଅଣ୍ଡାମାଡ କରିଛନ୍ତି ବିଜେପି କର୍ମୀ ।

ଏପଟେ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ଶାସକ ଦଳ କ୍ଲିନଚିଟ୍ ଦେବା ପ୍ରସଙ୍ଗରେ, ପୌରାଣିକ ଚରିତ୍ରର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ନେତା । ସେହିପରି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛି କଂଗ୍ରେସ । ତେବେ ବିଜେଡିର ଜବାବ, ବିରୋଧୀ ତାଙ୍କ କାମ କରୁଛନ୍ତି । ଏଥିରେ କିଛି ଫରକ ପଡ଼ିବ ନାହିଁ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ମମିତା ମେହେର ହତ୍ୟାକାଣ୍ଡ ମାମଲା ବିରୋଧୀଙ୍କ ପାଇଁ ଏକ ବଡ ପ୍ରସଙ୍ଗ ପାଲଟିଯାଇଛି କିନ୍ତୁ, ମମିତା ମେହେର ହତ୍ୟାକାଣ୍ଡର ପୃ୍ଷ୍ଠଭୂମିକୁ ଯାଇ ଷଡଯନ୍ତ୍ରକାରୀକୁ ଠାବ କରିବା ଭଳି ମୂଳ ପ୍ରସଙ୍ଗ ଦୂରେଇ ଯାଉଛି ।