ମମତାଙ୍କ ଆହ୍ୱାନରେ ମେଳି ବାନ୍ଧିଲେ ମୋଦି ବିରୋଧୀ । ପଶ୍ଚିମବଙ୍ଗରେ ବିରୋଧୀ ଏକତାର ପାୱାର ସୋ’

ଏକାଠି ହେଲେ ୨୨ ଦଳ, ସମସ୍ତଙ୍କ ମୁହଁରେ ମୋଦୀ ହଟାଅ-ଦେଶ ବଂଚାଅ ସ୍ଲୋଗାନ

137

କନକ ବ୍ୟୁରୋ: ମୋଦୀ ହଟାଅ, ଦେଶ ବଂଚାଅ । ଏହି ନାରା ଦେଇ ପଶ୍ଟିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକାଠି ହେଲେ ୨୨ଟି ଦଳର ନେତା । ସାଧାରଣ ନିର୍ବାଚନ ପୂର୍ବରୁ ରଣହୁଙ୍କାର ଦେଇଛନ୍ତି ମୋଦି ବିରୋଧୀ ମହାମେଂଟ । ମମତାଙ୍କ ମୋଦି ବିରୋଧୀ ମେଳିରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ବିଶାଳ ବ୍ରିଗେଡ୍ ସମାବେଶରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ, ନୂଆ ବିକଳ୍ପ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମମତା । ତେବେ ବିରୋଧୀଙ୍କ ଏହି ମହାମେଳିରୁ ଦୂରେଇ ରହିଛି ବିଜେଡି ।

ଏ ହେଉଛି କୋଲକାତା ବ୍ରିଗେଡ୍ ପଡିଆ ମଂଚ । ଯେଉଁଠି ଏକାଠି ହୋଇଛି ୨୨ଟି ଦଳର ନେତା । ମୋଦୀ ବିରୋଧୀ ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ, ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ୫ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ – ମୋଦୀ ହଟାଅ, ଦେଶ ବଂଚାଅ । ଏହି ନାରାବାଜି ସହ ୨୦୧୯ ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର ଶକ୍ତି ପ୍ରଦର୍ଶନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜି । ବିଶାଳ ବ୍ରିଗେଡ୍ ସମାବେଶରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ ସରଗରମ ଭାଷଣ ଦେଇଛନ୍ତି ମୋଦୀ ବିରୋଧୀ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମୟ ଶେଷ ହୋଇଯାଇଛି, ନୂଆ ବିକଳ୍ପ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ମମତା ।

ବିରୋଧୀ ମେଳିରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର, ପୂର୍ବତନ ଅରୁଣାଚଳ ମୁଖ୍ୟମନ୍ତ୍ରୀ ଗେଗଙ୍ଗ ଆପାଙ୍ଗ, ଓମର ଅବଦୁଲ୍ଲା, ଫାରୁକ ଅବଦୁଲ୍ଲା ଭଳି ତୁଙ୍ଗ ନେତା । ଗୁଜରାଟର ଫାୟାରବ୍ରାଣ୍ଡ୍ ନେତା ହାର୍ଦ୍ଦିକ ପଟେଲ, ଜିଗନ୍ସେ ମିୱାନୀ ମଧ୍ୟ ଏହି ସମାବେଶରେ ସାମିଲ ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସମାବେଶରେ ଯୋଗ ଦେଇ ମୋଦୀଙ୍କ ବିରୋଧରେ ବର୍ଷିଥିଲେ ।

 

ସେହିପରି ମମତାଙ୍କ ମେଗାରାଲିରେ ସାମିଲ ହୋଇଛନ୍ତି ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ୱୀ ଯାଦବ, ଜେଏମଏମ ନେତା ହେମନ୍ତ ସୋରେନ୍ ଭଳି ପ୍ରଭାବଶାଳୀ ନେତା । ସମସ୍ତଙ୍କ ମୁହଁରେ ଥିଲା ପରିବର୍ତନର ସ୍ଲୋଗାନ୍ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୋଦୀଙ୍କ ବିରୋଧୀ ସମାବେଶରେ ବିଜେପିର ବିଦ୍ରୋଦୀ ନେତା ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ଉପସ୍ଥିତି । ଏହି ନେତାମାନେ ମଂଚ ଉପରେ ମୋଦୀଙ୍କୁ ହଟାଇବା ପାଇଁ ଦେଇଥିଲେ ଆହ୍ୱାନ ।

ତେବେ ବିରୋଧୀଙ୍କ ଏହି ମହାମେଳିରେ ସାମିଲ ହୋଇନାହିଁ ବିଜେଡି । ପୁଣିଥରେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଆଭିମୁଖ୍ୟକୁ ଦୋହରାଇଛି ଦଳ । ବିରୋଧୀଙ୍କ ମହାମେଳିକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଆଇନ୍ ମନ୍ତ୍ରୀ କହିଛନ୍ତି, ଏବେ ଜଣେ ମାତ୍ର ବ୍ୟକ୍ତିଙ୍କୁ ହଟାଇବାକୁ, ସମସ୍ତ ଦଳଙ୍କୁ ଏକାଠି ହେବାକୁ ପଡିଛି । ତେବେ ବିରୋଧୀଙ୍କ ଏହି ମହାମେଳିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିମ୍ବା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମିଲ ହୋଇନଥିଲେ, ହେଲେ କଂଗ୍ରେସ ପ୍ରତିନିଧି ଭାବେ ମଲ୍ଲିକାର୍ଜୁନ ଖାଡ଼ଗେ, ଅଭିଷେକ ମନୁ ସିଂଘଭୀ ଯୋଗ ଦେଇଥିଲେ ବ୍ରିଗେଡ ସମାବେଶରେ । ସେହିପରି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ତାଙ୍କର ପ୍ରତିନିଧିକୁ ପଠାଇଥିଲେ । ମମତାଙ୍କ ଏହି ମେଗା ସୋ’ ଥିଲା ୨୦୧୯ରେ ମୋଦୀଙ୍କ ପାଇଁ ବଡ଼ ଚ୍ୟାଲେଜ୍ ।