କଂଗ୍ରେସ ନେତୃତ୍ୱକୁ ମମତାଙ୍କ ନାପସନ୍ଦ, ସଂସଦରେ ମୁଖ୍ୟ ବିରୋଧୀ ହେବ କି ଟିଏମସି ?

179

କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନ ଆସନ୍ତାକାଲି ଅର୍ଥାତ ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଏହି ଶୀତକାଳୀନ ଅଧିବେଶନ ବେସ ରୋଚକ ହେବ ବୋଲି ଅନୁମାନ କରାଯାଉଛି । କୃଷି ଆଇନ ପ୍ରତ୍ୟାହାର ବିଧେୟକ ଉପରେ ମୋହର ମାରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ବେଳେ ଏମଏସପି, ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସହାୟତା, ଚାଷୀ ଆନ୍ଦୋଳନ ବେଳେ ଚାଷୀଙ୍କ ଉପରେ ଦାଖଲ ହୋଇଥିବା ମାମଲାର ପ୍ରତ୍ୟାହାର, ୪ ଟି ଶ୍ରମକୋର୍ଡ ବାତିଲ ବିରୋଧୀଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ହେବ । ଏହାସହ ପେଗାସସ୍ ସ୍ପାଏୱେର ମାଧ୍ୟମରେ ଫୋନ ଟ୍ୟାପିଂ ମାମଲା, ଜାତୀୟ ସମ୍ପତ୍ତିର ଘରୋଇ କରଣ ଭଳି ଅନେକ ଗରୁତ୍ୱପୂର୍ଣ୍ଣ ମୁଦ୍ଦା ବିରୋଧୀଙ୍କ ପାଖରେ ରହିଛି ।

ମୁଦ୍ଦା ଅଛି, ସୁଯୋଗ ଅଛି , ହେଲେ ଏହି ପ୍ରସଙ୍ଗକୁ ଆଗକୁ ଆଣିବ କିଏ ? ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିବ କିଏ ? କିଏ ସରକାରଙ୍କୁ ଘେରିବ । ଏ ସବୁ ପ୍ରଶ୍ନର ଗୋଟିଏ ଉତ୍ତର ହେଉଛି ବିରୋଧୀ ଦଳ । ହେଲେ ବିରୋଧୀ ମେଣ୍ଟର ଫାଟ ଏବେ ଜଳ ଜଳ ହୋଇ ଦେଖାଗଲାଣି । ଲୋକସଭାରେ ଆଇନ ସମ୍ମତ କେହି ବିରୋଧୀ ଦଳ ନାହାଁନ୍ତି । ଲୋକସଭାରେ କଂଗ୍ରେସ ପାଖରେ ମାତ୍ର ୫୩ ଜଣ ସାଂସଦ ରହିଛନ୍ତି । ଅନ୍ୟପଟେ ବିଜେପି ପାଖରେ ରହିଛି ୩୦୧ ସାଂସଦ । ଏଭଳି ସ୍ଥଳେ କଂଗ୍ରେସ ଲୋକସଭାରେ ବିଜେପିକୁ ଘେରିବା ସମ୍ଭବ ନୁହେଁ । ଅନ୍ୟପଟେ ଅନ୍ୟ ବିରୋଧୀ ଦଳମାନଙ୍କୁ ନେଇ ସୋନିଆ ଗାନ୍ଧୀ ସରକାରଙ୍କୁ ଘେରିବାକୁ ଚାହୁଁଥିବା ବେଳେ ଏବେ ଏଥିରେ ବାଧା ସୃଷ୍ଟି କରିଛନ୍ତି ଟିଏମସି ନେତ୍ରୀ ମମତା ବାନାର୍ଜୀ ।

ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ରଣନୀତି କଣ ହେବ ? କିଭଳି ଅନ୍ୟ ବିରୋଧୀମାନଙ୍କୁ ଏକଜୁଟ କରି ଦେଶର ମୁଖ୍ୟ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଶଣ କରାଯାଇ ପାରିବ ସେନେଇ ସୋନିଆ ଗାନ୍ଧୀ ଯେଉଁ ବୈଠକ ଡାକିଥିଲେ ସେଥିରେ ମମତାଙ୍କ ଦଳ ଯୋଗ ଦେଇ ନାହିଁ । ସେପଟେ ରବିବାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଟିଏମସି ଯୋଗଦେଇ ବିରୋଧୀ ରଣନୀତିକୁ ପଦାରେ ପକାଇଛି  ।

ଏହି ଆଚରଣରୁ ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ନେତୃତ୍ୱକୁ ଟିଏମସି ନାପସନ୍ଦ କରିଛି । ଏହାସହ ଆଗାମୀ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ଏକାକୀ ବିଜେପିକୁ ଟକ୍କର ଦେବାକୁ ଯୋଜନା କରୁଥିବା ବେଳେ ଏବେଠାରୁ ସଂସଦରେ ମୁଖ୍ୟ ବିରୋଧୀଦଳର ଭୂମିକା ନିଭାଇବାକୁ ଚେଷ୍ଟା କରିଛି । ହେଲେ ଏବେ ସଂସଦରେ ଟିଏମସିର ମାତ୍ର ୨୨ ଜଣ ସାଂସଦ ରହିଛନ୍ତି । ଯଦି ଅନ୍ୟ ବିରୋଧୀଦଳମାନେ ମମତାଙ୍କ ସହ ସହମତ ହୁଅନ୍ତି ତେବେ ଲୋକସଭାରେ କଥିତ ବିରୋଧୀଭାବେ ଗଣନା କରାଯାଉଥିବା କଂଗ୍ରେସ ପାଇଁ ଏହା ଏକ ବଡ ଝଟକା ହେବ ।