ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଜଗନ୍ନାଥ ପୂଜା । ପୁରୀରୁ କୋଲକାତା ଗଲେ ଜଗୁନିଙ୍କ ସମେତ ସେବାୟତ ଓ ବ୍ରାହ୍ମଣ ।

334

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା । ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ପୂଜା ଦିନତମାମ ଚାଲିଥିଲା । ଦୀର୍ଘ ୧୦ ଘଂଟାରୁ ଅଧିକ ସମୟ ଧରି ପୂଜା ହୋଇଥିଲା ବୋଲି କୁହାଯାଉଛି ।

ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜଗନ୍ନାଥ ସ୍ୱାଇଁ ମହାପାତ୍ର କଲିକତା ଗସ୍ତ କରି ଏହି ପୂଜା କରିଛନ୍ତି । ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନରେ ଏହି ପୂଜାର୍ଚ୍ଚନା ହୋଇଛି । ମମତା ଏହି ପୂଜାର ଏକ ଛୋଟ ଭିଡିଓ ନିଜର ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି । ପୂଜା ସରିବା ସମୟରେ ହିଁ ଏପଟେ ଆରମ୍ଭ ହୋଇଥିଲା ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । ଆଉ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିଥିଲେ । ପଶ୍ଚିମ ବଙ୍ଗରେ ମାର୍ଚ୍ଚ ୨୭ ଭୋଟ ଆରମ୍ଭ ହେବ ଏବଂ ୮ଟି ପର୍ଯ୍ୟାୟରେ ମତଦାନ ହେବ । ପୂର୍ବରୁ ମଧ୍ୟ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ବାସଭବନରେ ପୂଜାର୍ଚ୍ଚନା କରନ୍ତି । ଗତ ନିର୍ବାଚନରେ ମଧ୍ୟ ମମତା ବିଜୟୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ପରେ ନିର୍ବାଚନ ଫଳାଫଳ ସେଇଆ ହେବାରୁ, ତାଙ୍କ ପ୍ରତି ମମତାଙ୍କ ଆସ୍ଥା ବଢି ଯାଇଥିଲା । ତେବେ ଏଥର କିଏ ନିର୍ବାଚନ ଜିତିବ ବୋଲି ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କୁ ପଚରାଯିବାରୁ ସେ କହିଥିଲେ, ୭ ଦିନ ପରେ ସେ ଏନେଇ ଭବିଷ୍ୟବାଣୀ କରିବେ ।