ଗଣେଶ ପୂଜାରେ ନାମାଙ୍କନପତ୍ର ଦାଖଲ କରିବେ ମମତା । ଶୁଭେନ୍ଦୁ କହିଲେ, ଲଢେଇ ପାଇଁ ବିଜେପି ପ୍ରସ୍ତୁତ ।

156

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସେପ୍ଟେମ୍ବର ୧୦ ଅଥାର୍ତ ଗଣେଶ ପୂଜାରେ ନାମାଙ୍କନପତ୍ର ଦାଖଲ କରିବେ । ଏନେଇ ସୂଚନା ଦେଇଛନ୍ତି ମମତା । ଏହାସହ ମମତା କହିଛନ୍ତି, ଭବାନୀପୁରରୁ ବିଧାୟକ ଜିତିଥିବା ସୋଭନ ଦେବ ଚଟୋପଧ୍ୟାୟ ଏବେ ଖରଦାହା ଆସନରୁ ନିର୍ବାଚନ ଲଢିବେ । ମମତାଙ୍କ ପାଇଁ ଶୋଭନ ଭବାନୀପୁର ଆସନରୁ ଇସ୍ତଫା ଦେଇଥିଲେ, ତେବେ ମମତା ସରକାରରେ ଶୋଭନ ମନ୍ତ୍ରୀ ରହିବେ ।

ଅନ୍ୟପଟେ ମମତାଙ୍କୁ ନନ୍ଦୀଗ୍ରାମ ଆସନରୁ ପରାଜିତ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ଉପ-ନିର୍ବାଚନରେ ସିପିଏମ-କଂଗ୍ରେସ ଭଳି ଦଳ ପ୍ରାର୍ଥୀ ନଦେଲେ ବି କୌଣସି ଫରକ ପଡିବନି ବୋଲି କହିଛନ୍ତି ଶୁଭେନ୍ଦୁ । କାରଣ ଏଠାରେ ବିଜେପି ଓ ଟିଏମସି ମଧ୍ୟରେ ଫାଇଟ ହେବ ବୋଲି କହିଛନ୍ତି ଶୁଭେନ୍ଦୁ । ଏହାଛଡା ଭୋଟର ଆମ ସହ ରହିଛନ୍ତି, ଯିଏ ବି ପ୍ରାର୍ଥୀ ହୁଅନ୍ତୁ ଦଳ ଲଢିବା ପାଇଁ ପୂରା ପ୍ରସ୍ତୁତ ବୋଲି ଶୁଭେନ୍ଦୁ କହିଛନ୍ତି ।

ପଶ୍ଚିମବଙ୍ଗରେ ହେବାକୁ ଥିବା ଉପ-ନିର୍ବାଚନ ବେଶ ରୋଚକ ହେବ ବୋଲି କୁହାଯାଉଛି । କାରଣ ଉପ-ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଉପ-ନିର୍ବାଚନ ହିଁ ମମତାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହା ସ୍ଥିର କରିବ । କାରଣ ମମତା ନିର୍ବାଚନ ଜିତିଲେ ହିଁ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରହିବ । ଅନ୍ୟପଟେ ମମତା ବାନାର୍ଜୀଙ୍କୁ ବଡ ଝଟକା ଦେବାକୁ ବିଜେପି ପାଇଁ ଏହା ସବୁଠୁ ବଡ ସୁଯୋଗ । ଆସନ୍ତା ୩୦ ସେପ୍ଟେମ୍ବରରେ ଭବାନୀପୁରରେ ଉପ-ନିର୍ବାଚନ ହେବ । ଯେହେତୁ ମମତା ଏବେ ବିଧାୟକ ନାହାନ୍ତି ତେଣୁ ତାଙ୍କୁ ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡିବ । ତେଣୁ ଉପ-ନିର୍ବାଚନରେ ମମତାଙ୍କୁ ପରାଜିତ କରିପାରିଲେ ବିଜେପି ପାଇଁ ଏହା ସବୁଠୁ ବଡ ବିଜୟ ହେବ । ଅନ୍ୟପଟେ ଭବାନୀପୁର ଆସନରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।